ସାକ୍ଷୀ ପୂର୍ବ ପ୍ରେମିକ ସହ କଥା ହେଉଥିବା ସନ୍ଦେହ କରି ହତ୍ୟା କଲା ସାହିଲ୍: ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ରବିବାର ପ୍ରେମିକ ସାହିଲ ନିଜ ପ୍ରେମିକା ସାକ୍ଷୀକୁ ‌ଯେଉଁଭଳି ଭାବେ ହତ୍ୟା କଲା ତାହା ଏବେ ସାରା ଦେଶକୁ ସ୍ତବ୍ଧ କରିଛି। କୌଣସି ଜନଶୂନ୍ୟ ଅଞ୍ଚଳରେ ନୁହେଁ ବରଂ ଜନଗହଳିପୂର୍ଣ୍ଣ ରାସ୍ତାରେ ଘଟିଥିଲା ଏହି ହୃଦୟ ଥରା ଘଟଣା। ସାହିଲ ଏବଂ ନାବାଳିକା ପୀଡିତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା କୁହାଯାଉଥିବା ବେଳେ ଏହି ହତ୍ୟାକାଣ୍ଡର ଗୋଟିଏ ଦିନ ପୂର୍ବରୁ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ରବିବାର ଝିଅଟି ତା’ର ଜଣେ ବାନ୍ଧବୀର ପୁଅ ଜନ୍ମଦିନ ଉତ୍ସବକୁ ଯାଉଥିବା ବେଳେ ସାହିଲ ତାଙ୍କୁ ବାଟରେ ଅଟକାଇ ଆକ୍ରମଣ କରିଥିଲା।

ତେବେ ପ୍ରଥମେ ଝଗଡ଼ାର କାରଣ ସାମ୍ନାକୁ ଆସିନଥିବା ବେଳେ ଏବେ ପ୍ରାଥମିକ ତଦନ୍ତରୁ ପୁଲିସକୁ ବଡ଼ ସୂଚନା ମିଳିଛି। ପୁଲିସର କହିବା ମୁତାବକ, ସାହିଲ ଏବଂ ସାକ୍ଷୀ ୨୦୨୧ ମସିହା ଜୁନ୍ ମାସରୁ ପ୍ରେମ ସଂପର୍କରେ ଥିଲେ। ସାହିଲଙ୍କ ପୂର୍ବରୁ ସାକ୍ଷୀ ପ୍ରବୀଣ ନାମକ ଜଣେ ଯୁବକଙ୍କ ସହ ପ୍ରେମ ସଂପର୍କ ରଖିଥିଲେ। ସାହିଲଙ୍କ ସହ ପ୍ରେମ ସମ୍ପର୍କ ରଖିବାର ବର୍ଷକ ପୂର୍ବରୁ ପ୍ରବୀଣଙ୍କ ସହ ବ୍ରେକଅପ୍ କରିଥିଲେ ସାକ୍ଷୀ। ତେବେ ହତ୍ୟାର କିଛି ଦିନ ପୂର୍ବରୁ ସାକ୍ଷୀ ପୁଣି ଥରେ ପ୍ରବୀଣଙ୍କ ସହ କଥା ହେଉଥିବା ସାହିଲ ସନ୍ଦେହ କରିଥିଲେ। ଏନେଇ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା। ସାକ୍ଷୀ ଝଗଡ଼ା ପରେ ପିଛା ନଛାଡ଼ିଲେ ପୁଲିସରେ ଅଭିଯୋଗ କରିବି ବୋଲି ସାହିଲକୁ ଧମକ ଦେଇଥିଲେ। ଏଥିରେ ରାଗି ଯାଇ ସାହିଲ ଏଭଳି କରିଥିବା ଜାଣିବାକୁ ମିଳିଛି। ଅଧିକ ତଦନ୍ତ ପ‌ରେ ପୂରା ଘଟଣା ସାମ୍ନାକୁ ଆସିବ।

ସମ୍ବନ୍ଧିତ ଖବର