ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ ଦାୟିତ୍ୱ ନେଲେ ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ଭାବେ ଶକ୍ତିକାନ୍ତ ଦାସ ଆଜି ଦାୟିତ୍ୱ ନେଇଛନ୍ତି। ଅର୍ଥ କମିସନର ସଭ୍ୟ ଥିବା ଶକ୍ତିକାନ୍ତ ଦାସ ତିନି ବର୍ଷ ଲାଗି ଏହି ଦାୟିତ୍ୱ ତୁଲାଇବେ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ ଗତ ୧୦ ତାରିଖ ଦିନ ଅଚାନକ ଇସ୍ତଫା ଦେବା ପରେ କେନ୍ଦ୍ର ସରକାର ଗତକାଲି ଶକ୍ତିକାନ୍ତ ଦାସଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବିରେ ନିଯୁକ୍ତି ଦେଇଥିଲେ।

ଏହି ପଦବିରେ ନିଯୁକ୍ତ ହେବାରେ ଶକ୍ତିକାନ୍ତ ଦାସ ହେଉଛନ୍ତି ପ୍ରଥମ ଓଡ଼ିଆ ଅଧିକାରୀ। ୧୯୮୦ ମସିହାର ତାମିଲନାଡୁ କ୍ୟାଡରର ଆଇଏଏସ ଅଧିକାରୀ ଶକ୍ତିକାନ୍ତ ଦାସ ତାମିଲନାଡ଼ୁ ସମେତ କେନ୍ଦ୍ର ସରକାରଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ପଦବିରେ ନିଯୁକ୍ତି ପାଇଥିଲେ। ସେ ଏହାପୂର୍ବରୁ କେନ୍ଦ୍ର ସରକାରଙ୍କ ଅର୍ଥନେତିକ ବ୍ୟାପାର ସଚିବ, ରାଜସ୍ୱ ସଚିବ ଏବଂ ସାର ବିଭାଗରେ ସଚିବ ଥିଲେ। ଗତବର୍ଷ ସେ ଅବସର ଗ୍ରହଣ କରିଥିଲେ। ଉର୍ଜିତ ପଟେଲ୍‌ ଇସ୍ତଫା ଦେବା ପରେ ତାଙ୍କର ଉତ୍ତରାଧିକାରୀ ଭାବେ ଅନେକ ଲୋକଙ୍କ ନାମକୁ ନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ ସରକାର ଶକ୍ତିକାନ୍ତ ଦାସଙ୍କୁ ଚୟନ କରିଛନ୍ତି।

ନିଯୁକ୍ତି ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଗତକାଲି ଶ୍ରୀ ଦାସଙ୍କ ନାମକୁ ଅନୁମୋଦନ ପ୍ରଦାନ କରିଥିଳେ। ଶକ୍ତିକାନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜଣେ ବିଶ୍ୱସ୍ତ ଅଧିକାରୀ ଭାବେ ଜଣାଶୁଣା। ମୋଦୀ ହିଁ ତାଙ୍କୁ ରାଜସ୍ୱ ବିଭାଗର ମୁଖ୍ୟ ଭାବେ ଅର୍ଥ ମନ୍ତ୍ରାଳୟରେ ନିଯୁକ୍ତି ଦେଇଥିଲେ। ପରବର୍ତୀ ସମୟରେ ତାଙ୍କୁ ଅର୍ଥନେତିକ ବ୍ୟାପାର ବିଭାଗର ମୁଖ୍ୟ କରାଯାଇଥିଲା। ସେହି ସମୟରେ ସେ ମୋଦୀ ସରକାରଙ୍କ ସବୁଠୁ ବଡ଼ ଅଭିଯାନ ବିମୁଦ୍ରୀକରଣର ମଙ୍ଗ ସମ୍ଭାଳିଥିଲେ।

ସମ୍ବନ୍ଧିତ ଖବର