ନୂଆଦିଲ୍ଲୀ : ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ (ଏନ୍‌ଆଇଏନ୍‌ଏଲ୍‌) ବିକ୍ରି ପରେ କର୍ମଚାରୀଙ୍କୁ ବକେୟା ବେତନ ମିଳିବ। ବି‌ଜେଡି ସାଂସଦ ପିନାକୀ ମିଶ୍ରଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତର‌ରେ ‌ସୋମବାର ଲୋକସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାଗବତ କିଷନ ରାଓ କରାଡ।

Advertisment

ସାଂସଦ ଶ୍ରୀ ମିଶ୍ର ପ୍ରଶ୍ନରେ ଉଲ୍ଲେଖ କରିଥିଲେ, ଡିଆଇପିଏଏମ୍‌ ୨୦୧୮ ରୁ ଏନ୍‌ଆଇଏନ୍‌ଏଲ୍‌ରୁ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଜାରିରଖିଛି। ଅନ୍ୟ ପକ୍ଷରେ ଏହାର କର୍ମଚାରୀମାନେ ୨୦୨୦ ମାର୍ଚରୁ ବେତନ ପାଇନାହାନ୍ତି। କର୍ମଚାରୀଙ୍କୁ ପ୍ରାପ୍ୟ ପ୍ରଦାନ ନେଇ ଶ୍ରୀ ମିଶ୍ରଙ୍କ ପ୍ରଶ୍ନର ଉତ୍ତରରେ ଡକ୍ଟର କରାଡ ଉଲ୍ଲେଖ କରିଥିଲେ, ଏନ୍‌ଆଇଏନ୍‌ଏଲ୍‌ରେ ଏମ୍‌ଏମ୍‌ଟିସି ଲିମିଟେଡର ୪୭.୭୮ %, ଏନ୍‌ଏମ୍‌ଡିସି ଲିମିଟେଡର ୧୦.୧ %, ଭେଲ୍‌ର ୬.୮ % ଏବଂ ମେକାନ ଲିମିଟେଡ୍‌ର ୦.୬୮ % ସହ ଓଡ଼ିଶା ସରକାରଙ୍କ ଇପିକଲ୍‌ର ୧୨ % ଓଏମ୍‌ସିର ୨୦.୪୭ % ଅଂଶଧନ ରହିଛି। ଏହା ଉପରୋକ୍ତ ସଂସ୍ଥାମାନଙ୍କର ଏକ ମିଳିତ ଉଦ୍ୟୋଗ।

ଅନୁମୋଦିତ ନିୟମାବଳୀ ଅନୁସାରେ ୪ଟି ସିପିଏସ୍‌ଇ ଓ ରାଜ୍ୟ ସରକାରଙ୍କ ୨ଟି ପିଏସ୍‌ୟୁ ସଂପୂର୍ଣ୍ଣ ଅଂଶଧନ ପ୍ରତ୍ୟାହାରକୁ ଜାନୁଆରୀ ୮, ୨୦୨୦ରେ ମଂଜୁରି ଦିଆଯାଇଛି। ଜାନୁଆରି ୨୫, ୨୦୨୧ରେ ‘ଏକ୍ସପ୍ରେସନ୍‌ ଅଫ୍‌ ଇଣ୍ଟରେଷ୍ଟ୍‌’ ଆମନ୍ତ୍ରଣ କରାଯାଇଥିଲା। ଆକାଂକ୍ଷୀ ନିଲାମଧାରୀଙ୍କ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ ପରେ ସଫଳ ନିଲାମଧାରୀଙ୍କୁ ‘ରିକ୍ବେଷ୍ଟ ଅଫ୍‌ ପ୍ରପୋଜାଲ୍‌’ ଜାରି କରାଯାଇଛି। କର୍ମଚାରୀମାନଙ୍କୁ ୨୦୨୦ ଡିସେମ୍ବର ପର୍ଯ୍ୟନ୍ତ ବକେୟା ବେତନ ପଠାଯାଇଛି। ଏବେ ଅଂଶଧନକାରୀ (ସେୟାର ହୋଲଡର୍‌)ମାନଙ୍କ ମଧ୍ୟରେ ନିବେଶ ପ୍ରତ୍ୟାହାର ରସିଦ ବଣ୍ଟନ ଚାଲିଛି। ସେୟାର ହୋଲଡର ବିକ୍ରୟ ତଥା ନିଲାମଧାରୀମାନଙ୍କ ମଧ୍ୟରେ ହେବାକୁ ଥିବା ରାଜିନାମାରେ କର୍ମଚାରୀମାନଙ୍କ ବକେୟା ଅର୍ଥ ପରିଶୋଧ ଉପରେ ଗୁରୁତ୍ବ ଦିଆଯିବ ବୋଲି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଉତ୍ତରରେ କହିଛନ୍ତି।