ଦରମାରେ ବିଳମ୍ବ ହେଲେ କରିବେ ‘ଅସହଯୋଗ’; ଧମକ ଦେଲେ ଜେଟ୍‌ ଏୟାରେଓ୍ଵଜ୍‌ ପାଇଲଟ୍‌

ନୂଆଦିଲ୍ଲୀ: ଦରମା ମିଳିବାରେ ବିଳମ୍ବ ହେଲେ ଜେଟ୍‌ ଏୟାରେଓ୍ଵଜ୍‌ର ପାଇଲଟ ଓ ଇଞ୍ଜିଦିୟରମାନେ କମ୍ପାନି ସହିତ ଅସହଯୋଗ କରିବା ସହ କାର୍ଯ୍ୟରେ ଯୋଗଦେବେ ନାହିଁ ବୋଲି ଆଜି ଧମକ ଦେଇଛନ୍ତି। କ୍ରମାଗତ ଭାବେ ଦ୍ୱିତୀୟ ମାସ ପାଇଁ ଦରମାରେ ବିଳମ୍ବ ଘଟିବା ପରେ ଜେଟ୍‌ ଏୟାରେଓ୍ଵଜ୍‌ର ପାଇଲଟ ଓ ଇଞ୍ଜିନିୟରମାନେ କମ୍ପାନି କର୍ତ୍ତୃପକ୍ଷଙ୍କୁ ଏପରି ଧମକ ଦେଇଥିବା ଜାଣିବାକୁ ମିଳିଛି। ବିନା କୌଣସି ପ୍ରକାର ପୂର୍ବ ନୋଟିସ୍‌ରେ ଦରମାରେ ବିଳମ୍ବକୁ ଆଉ ସେମାନେ ବରଦାସ୍ତ କରିବେ ନାହିଁ ବୋଲି ଆଜି କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇ ଦେଇଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଜେଟ୍‌ ଏୟାରେଓ୍ଵଜ୍‌ ଏବେ ଘୋର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଛି। ଚଳିତ ବର୍ଷ ମାର୍ଚ୍ଚରେ ଶେଷ ହୋଇଥିବା ପ୍ରଥମ ତ୍ରୈମାସିକରେ ଜେଟ୍‌ ଏୟାରେଓ୍ଵଜ୍‌ର ଆର୍ଥିକ କ୍ଷତିର ପରିମାଣ ୧,୦୩୬ କୋଟି ଥିବା ବେଳେ ଜୁନ୍‌ ମାସରେ ଶେଷ ହୋଇଥିବା ଦ୍ୱିତୀୟ ତ୍ରୈମାସିକରେ ଏହାର ପରିମାଣ ୧,୩୦୦ କୋଟିରେ ଆସି ପହଞ୍ଚିଛି। ଫଳରେ କମ୍ପାନି ନିଜର ପାଇଲଟ ଓ ଇଞ୍ଜିନିୟରମାନଙ୍କୁ ବେତନ ପ୍ରଦାନ କରିବାରେ ସମର୍ଥ ହୋଇପାରି ନାହିଁ। ବିପୁଳ ଆର୍ଥିକ କ୍ଷତିକୁ ଦୃଷ୍ଟିରେ ରଖି ଜେଟ୍‌ ଏୟାରେଓ୍ଵଜ୍‌ କର୍ତ୍ତୃପକ୍ଷ ଗତ ଜୁନ୍‌ ମାସରେ କର୍ମଚାରୀମାନଙ୍କର ବେତନରେ ୨୫ ପ୍ରତିଶତ ହ୍ରାସ ଘଟାଇବେ ବୋଲି ଘୋଷଣା କରିଥିଲେ। ତେବେ, ପରବର୍ତ୍ତୀ ସମୟରେ ପାଇଲଟ ସଂଘର ଘୋର ବିରୋଧ ପରେ ଜେଟ୍‌ ଏୟାରେଓ୍ଵଜ୍‌ କର୍ତ୍ତୃପକ୍ଷ ଏ ନିଷ୍ପତ୍ତିକୁ ପ୍ରତ୍ୟାହାର କରି ନେଇଥିଲେ।

ସମ୍ବନ୍ଧିତ ଖବର