ନୂଆଦିଲ୍ଲୀ: ଦିନରାତି ପିଠିରେ ବ୍ୟାଗ୍‌ ବୋହି ଲୋକମାନଙ୍କ ଘରେ ଘରେ ଜିନିଷ ପହଞ୍ଚାଉଥିବା ୪୦ ପ୍ରତିଶତ ଡେଲିଭରି ଏଜେଣ୍ଟ ବିଶେଷ ରୋଜଗାର କରନ୍ତି ନାହିଁ । ଅର୍ଥନୈତିକ ସ‌ର୍ଭେ ରି‌ପୋର୍ଟ କହୁଛି ୪୦ ପ୍ରତିଶତ ଗିଗ୍‌ କର୍ମଚାରୀଙ୍କ ମାସିକ ଆୟ ୧୫ ହଜାର ଟଙ୍କାରୁ କମ୍‌ ରହିଛି। ଆୟ କମ୍‌ ଥିବାରୁ ଗାଡ଼ି କିମ୍ବା ଅନ୍ୟାନ୍ୟ ଜିନିଷ କିଣିବା ଲାଗି ସେମାନଙ୍କୁ ସହଜରେ ଋଣ ମିଳୁନାହିଁ। ସେମାନଙ୍କ ପାଉଣା କମ୍ପାନି ଗ୍ରହଣ କରିଥିବା ଆଲ୍‌ଗୋରିଦମ୍‌ ଉପରେ ନିର୍ଭର କରୁଛି। ସେଥିରେ ପକ୍ଷପାତିତା ହେଉଥିବା ଆଶଙ୍କା କରାଯାଉଛି। ଆର୍ଟିଫିସିଆଲ ଇଣ୍ଟେଲିଜନ୍ସେ (ଏଆଇ) ଦ୍ରୁତ ଗତିରେ ଗ୍ରହଣୀୟ ହେଉଥିବାରୁ ବହୁ ଗିଗ୍‌ ଶ୍ରମିକ ନିଜ ଚାକିରି ସ୍ଥାୟିତ୍ବ ପ୍ରତି ମଧ୍ୟ ସନ୍ଦେହରେ ରହିଛନ୍ତି। 

Advertisment

ଏଭଳି ଆହ୍ବାନ ସ‌ତ୍ତ୍ବେ ଗିଗ୍‌ ଶ୍ରମିକଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଛି। ଚଳିତ ଦଶନ୍ଧି ଶେଷ ସୁଦ୍ଧା ଦେଶର ମୋଟ୍‌ ଶ୍ରମ ଶକ୍ତିରେ ସେମାନଙ୍କ ଅବଦାନ ୬.୭ ପ୍ରତିଶତକୁ ବୃଦ୍ଧି ପାଇବ। ୨୦୩୦ ସୁଦ୍ଧା ମୋଟ ଘରୋଇ ଉତ୍ପାଦ (ଜିଡିପି) ପ୍ରତି ଗିଗ୍‌ ଅର୍ଥନୀତିର ଅବଦାନ ୨.୩୫ ଲକ୍ଷ କୋଟି ଟଙ୍କାକୁ ବଢ଼ିବ। ୨୦୨୦-୨୧ରେ ଗିଗ୍‌ ଶ୍ରମିକମାନଙ୍କ ସଂଖ୍ୟା ୭.୭ ନିୟୁତ ଥିଲା। ୨୦୨୪-୨୫ରେ ସେହି ସଖ୍ୟା ୧୨ ନିୟୁତରେ ପହଞ୍ଚିଛି। ପ୍ରତ୍ୟେକ ଲୋକଙ୍କ ପାଖରେ ସ୍ମାର୍ଟଫୋନ୍‌ ଓ ୟୁପିଆଇ ପେମେଣ୍ଟ୍‌ ସୁବିଧା ପହଞ୍ଚିବା ପରେ ଗିଗ୍‌ ଶ୍ରମିକମାନଙ୍କୁ କାମ ମିଳିବା ସହଜ ହୋଇଛି। ଗିଗ୍‌ ଶ୍ରମିକମାନଙ୍କ ମଧ୍ୟରୁ ୩୭ ଲକ୍ଷ ଇ-କମର୍ସ କମ୍ପାନି, ୧୫ ଲକ୍ଷ ଲଜିଷ୍ଟିକ୍ସ, ୧୦ ଲକ୍ଷ ରିଟେଲ୍‌ ଓ ୧୦ ଲକ୍ଷ ବିନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି।