ମାଲାପ୍ପୁରମ୍ : କେରଳର ମାଲାପ୍ପୁରମ୍ ଜିଲ୍ଲାରେ ଥିବା ଭାରତ ସଞ୍ଚାର ନିଗମ ଲିମିଟେଡ୍(ବିଏସ୍ଏନ୍ଏଲ୍) ଅଫିସର ଜଣେ ଠିକା କର୍ମଚାରୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ୧୦ମାସ ହେଲା ଦରମା ମିଳି ନ ଥିବାରୁ ଚିନ୍ତାଗ୍ରସ୍ତ ହୋଇ ସେ ଏଭଳି କରିଥିବା ସୂଚନା ରହିଛି । ନିଜ ଅଫିସରେ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକଙ୍କ ନାଁ ରାମକ୍ରିଷ୍ଣ ବୋଲି ଜଣା ପଡ଼ିଥିବା ବେଳେ ସେ ବନ୍ଦୁର ଜିଲ୍ଲାର ବାସିନ୍ଦା ଥିଲେ ବୋଲି ଜଣାପଡ଼ିଛି । ମାଲାପ୍ପୁରମ୍ ଜିଲ୍ଲାରେ ଥିବା ବିଏସ୍ଏନ୍ଏଲ୍ ଟେଲିଫୋନ ଏକ୍ସଚେଞ୍ଜ ଅଫିସରେ ସେ ଗତ ୩୦ବର୍ଷ ହେଲାଣି ଠିକା ସଫେଇ କର୍ମଚାରୀ ଭାବେ କାମ କରି ଆସୁଥିଲେ ।
ନିଲାମ୍ବୁର ପୁଲିସର କହିବା ମୁତାବକ, ରାମକ୍ରିଷ୍ଣ ସକାଳ ୮ଟା ୩୦ମିନିଟ୍ରେ ଅଫିସରେ ପହଞ୍ଚିଥିଲେ । ଅଫିସରେ ଥିବା ସୁରକ୍ଷା ଗାର୍ଡ କିଛି ସମୟ ପାଇଁ ବାହାରକୁ ଯିବା ପରେ ସେ ଆତ୍ମହତ୍ୟା କରିଥିଲେ । ଘଟଣାର କିଛି ସମୟ ପରେ ଅଫିସର ଜଣେ ବରିଷ୍ଠ କର୍ମଚାରୀ ରାମକ୍ରିଷ୍ଣଙ୍କ ଝୁଲନ୍ତା ଶବ ଦେଖି ପୁଲିସକୁ ଖବର ଦେଇଥିଲେ ।
ଅନ୍ୟ ପକ୍ଷରେ ବିଏସ୍ଏନ୍ଏଲ୍ର କାଜୁଆଲ କଣ୍ଟ୍ରାକ୍ଟ ଲେବରର୍ସ ୟୁନିୟନ(ସିସିଏଲ୍ୟୁ)ର ସଦସ୍ୟଙ୍କ କହିବା ଅନୁଯାୟୀ, ୩୦ବର୍ଷ ତଳେ ରାମକ୍ରିଷ୍ଣ କାମ ଆରମ୍ଭ କରିଥିଲେ ମଧ୍ୟ କମ୍ପାନି ତାକୁ କମ ଦରମା ଦେଇ ଆସୁଥିଲା । ଯାହାକୁ ନେଇ ଖୁବ୍ କଷ୍ଟରେ ସ୍ତ୍ରୀ ଓ ଦୁଇ ପିଲାକୁ ଚଳାଇ ଆସୁଥିଲା ରାମକ୍ରିଷ୍ଣ । କିନ୍ତୁ ୧୦ମାସ ପର୍ଯ୍ୟନ୍ତ ରାମକ୍ରିଷ୍ଣଙ୍କୁ ଦରମା ମିଳୁ ନଥିବାରୁ ସେ ଅବସାଦଗ୍ରସ୍ତ ହୋଇ ଯାଇଥିଲେ । ଏମିତି କି କମ୍ପାନି ଅନୁବନ୍ଧର ଅବଧି ଶେଷ ହୋଇଯାଇଛି ବୋଲି କହି ତାଙ୍କ କାମକୁ କମାଇ ଦେଇଥିଲେ । ସପ୍ତାହକୁ ୬ଦିନ ଏବଂ ୬ଘଣ୍ଟା କାମ କରୁଥିବା ରାମକ୍ରିଷ୍ଣଙ୍କୁ ସପ୍ତାହକୁ ୩ଦିନ ଓ ୩ଘଣ୍ଟା କାମ କରିବାକୁ କୁହାଯାଇଥିଲା । ଏହା ସହ ଦରମା ମଧ୍ୟ ଦିଆଯାଉନଥିଲା । ଯାହା ପାଇଁ ସେ ଏଭଳି ପଦକ୍ଷେପ ନେଇଛନ୍ତି ।