କରୁଣାନିଧିଙ୍କ ପରଲୋକ: ଶୋକରେ ତାମିଲନାଡ଼ୁ

ରାଷ୍ଟ୍ରୀୟ ଶୋକ ଘୋଷଣା

ଚେନ୍ନାଇ: ଦ୍ରାବିଡ଼ ରାଜନୀତିର କର୍ଣ୍ଣଧାର ତଥା ଡିଏମ୍‌୍‌କେ ମୁଖ୍ୟ ମୁଥୁବେଲ କରୁଣାନିଧିଙ୍କର ଆଜି ପରଲୋକ ହୋଇଯାଇଛି। ତାଙ୍କୁ ୯୪ ବର୍ଷ ହୋଇଥିଲା। ଗତ କିଛି ଦିନ ଧରି ସେ ଚେନ୍ନାଇ କାବେରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତ ଦୁଇ ଦିନ ହେଲା ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହୋଇପଡ଼ିଥିଲା। ତାଙ୍କୁ ବଞ୍ଚାଇବା ଲାଗି ଡାକ୍ତରୀ ଦଳ ସବୁପ୍ରକାର ଉଦ୍ୟମ କରିଥିଲେ ମଧ୍ୟ ସନ୍ଧ୍ୟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଦୀର୍ଘ ୬୦ ବର୍ଷ ଧରି ତାମିଲନାଡ଼ୁ ରାଜନୀତିରେ ଛାଇ ରହିଥିବା କରୁଣାନିଧି ୫ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୫୦ ବର୍ଷ ଧରି ଦ୍ରାବିଡ଼ ମୁନ୍ନେତ୍ର କାଝଗମ୍‌ (ଡିଏମ୍‌୍‌କେ)ର ସଭାପତି ରହିଥିବା କରୁଣାନିଧି ତାଙ୍କର ୬୦ ବର୍ଷର ରାଜନୈତିକ ଜୀବନର ଅଧିକାଂଶ ସମୟ ରାଜ୍ୟ ରାଜନୀତିରେ କଟିଥିଲା। ବହୁମୁଖୀ ପ୍ରତିଭାର ଅଧିକାରୀ କରୁଣାନିଧି ତାମିଲ ଭାଷାର ଜଣେ ପ୍ରତିଷ୍ଠିତ ବିଦ୍ୱାନ ରହିଥିଲେ। ସେ ବହୁ ସଂଖ୍ୟାରେ ଉପନ୍ୟାସ, ନାଟକ ଏବଂ ତାମିଲ ଚଳଚ୍ଚିତ୍ର ପାଇଁ ପଟ୍ଟକଥା ଏବଂ ସଂଳାପ ଲେଖିଛନ୍ତି। ତାମିଲ ସିନେମାରୁ ରାଜନୀତିକୁ ଆସିବା ପରେ ସେ ସର୍ବଦା ଲୋକଙ୍କ ଅପାର ସମର୍ଥନ ହାସଲ କରିଥିଲେ। ୬୦ ବର୍ଷ ରାଜନୈତିକ ଜୀବନରେ ସେ କେବେହେଲେ ନିର୍ବାଚନ ହାରି ନଥିଲେ। ସମର୍ଥକମାନେ ତାଙ୍କୁ ଶ୍ରଦ୍ଧାରେ ‘କଲାଇନାର’ ବା ‘କଳାରେ ପଣ୍ଡିତ’ ବୋଲି କହିଥାନ୍ତି। ସୂଚନାଯୋଗ୍ୟ, କରୁଣାନିଧି ମୁତ୍ରାଶୟ ସଂକ୍ରମଣ ଏବଂ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଜୁଲାଇ ୨୯ରେ ଅଚାନକ ସ୍ୱାସ୍ଥ୍ୟାବସ୍ଥା ଉଦ୍‌୍‌ବେଗଜନକ ହେବାରୁ ତାଙ୍କୁ କାବେରୀ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କର ରକ୍ତଚାପ ନିୟନ୍ତ୍ରଣକୁ ଆସିଥିଲା। ଗତ ଶନିବାର ରାତିରେ ହସ୍ପିଟାଲ ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଥିଲା ଯେ ତାଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ସୁଧାର ହେଉଛି। କିନ୍ତୁ ରବିବାର ସକାଳେ ପୁଣି ସ୍ୱାସ୍ଥ୍ୟରେ ଅବନତି ଘଟିଥିଲା। ଆଜି ସକାଳେ ହସ୍ପିଟାଲ ପକ୍ଷରୁ ଜାରି ବିବୃତିରେ କୁହାଯାଇଥିଲା ଯେ କରୁଣାନିଧିଙ୍କ ସ୍ୱାସ୍ଥ୍ୟ ଅଧିକ ଉଦ୍‌ବେଗଜନକ ରହିଛି। ଆଜି ଅପରାହ୍ନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କାମ କରିବା ବନ୍ଦ କରିଦେଇଥିଲା ଏବଂ ସନ୍ଧ୍ୟା ୬ଟା ୧୦ରେ ହସ୍ପିଟାଲ ପକ୍ଷରୁ ଜାରି ବିବୃତିରେ ତାଙ୍କର ପରଲୋକ ସଂପର୍କରେ ସୂଚନା ଦିଆଯାଇଥିଲା।

ଆଜି ଅପରାହ୍ନରୁ ହସ୍ପିଟାଲ ଅଂଚଳ ଜନସମୁଦ୍ର ପାଲଟିଯାଇଥିଲା। ହଜାର ହଜାର ସଂଖ୍ୟାରେ ଡିଏମ୍‌୍‌କେ କାର୍ଯ୍ୟକର୍ତ୍ତା ତାଙ୍କ ପ୍ରିୟ ନେତାଙ୍କ ପାଇଁ ପ୍ରାର୍ଥନା କରିବାକୁ ଏକଜୁଟ ହୋଇଥିଲା। ସନ୍ଧ୍ୟାରେ ପରଲୋକ ଖବର ପ୍ରଚାରିତ ହେବାମାତ୍ରେ ତାଙ୍କର ଶେଷ ଦର୍ଶନ ପାଇଁ ରାଜ୍ୟର କୋଣ ଅନୁକୋଣରୁ ଲୋକେ ଚେନ୍ନାଇ ପହଞ୍ଚିବା ଆରମ୍ଭ କରିଛନ୍ତି। ରାଜ୍ୟବ୍ୟାପୀ ଶୋକାକୁଳ ପରିବେଶ ଲାଗି ରହିଥିବା ବେଳେ ସହରରେ ସୁରକ୍ଷା ବନ୍ଦୋବସ୍ତ କଡ଼ାକଡ଼ି କରାଯାଇଛି। ତାମିଲନାଡ଼ୁ ସରକାର କରୁଣାନିଧିଙ୍କ ବିୟୋଗରେ ବୁଧବାର ଛୁଟି ଘୋଷଣା କରିଛନ୍ତି ଏବଂ ଦିବଙ୍ଗତ ନେତାଙ୍କ ପାଇଁ ୭ ଦିନିଆ ଶୋକ ପାଳନ କରାଯିବ। କେନ୍ଦ୍ର ସରକାର ମଧ୍ୟ ଆସନ୍ତାକାଲି ଦିନିକିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। କରୁଣାନିଧିଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଅନ୍ତିମ ସଂସ୍କାର କରାଯିବ ବୋଲି ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତାକାଲି କରୁଣାନିଧିଙ୍କ ଶେଷକୃତ୍ୟ ଚେନ୍ନାଇରେ ସଂପନ୍ନ ହେବ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ କରୁଣାନିଧିଙ୍କ ବିୟୋଗରେ ଶୋକ ପ୍ରକାଶ କରି କହିଛନ୍ତି ଯେ ରାଜ୍ୟ ଏବଂ ଦେଶର ବିକାଶ ପ୍ରକ୍ରିୟାରେ କରୁଣାନିଧିଙ୍କ ଯୋଗଦାନ ଅତୁଳନୀୟ । କରୁଣାନିଧିଙ୍କ ବିୟୋଗରେ ଦେଶର ଅପାର କ୍ଷତି ଘଟିଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ଦେଶର ଏହି ବରିଷ୍ଠତମ ରାଜନେତାଙ୍କ ବିୟୋଗରେ ସେ ମର୍ମାହତ। ଲୋକଙ୍କ ସହିତ ଅତି ଘନିଷ୍ଠ ଥିବା ଜଣେ ରାଜନେତା ଏବଂ ମହାନ ଚିନ୍ତକଙ୍କୁ ଦେଶ ହରାଇଲା ବୋଲି ସେ କହିଛନ୍ତି। ଦଶର ଗଣତନ୍ତ୍ରରେ କରୁଣାନିଧି ଜଣେ ସତ୍ୟନିଷ୍ଠ ପ୍ରତିନିଧି। ତାମିଲନାଡୁ ଲୋକଙ୍କ ପାଇଁ ସେ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି। ଦେଶ ପ୍ରତି ଥିବା ତାଙ୍କର ଅବଦାନକୁ ବି ଭୁଲିହେବ ନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର