ନୂଆଦିଲ୍ଲୀ: ମହାରାଷ୍ଟ୍ରର ବୁଲଧାନାରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ପ୍ରସାଦ ଖାଇ ୩୦୦ରୁ ଅଧିକ ଅସୁସ୍ଥ ହୋଇ ପଡ଼ିଛନ୍ତି। ଡାକ୍ତଖାନାରେ ରୋଗୀଙ୍କ ଚିକିତ୍ସା ପାଇଁ ଶଯ୍ୟା ଅଭାବ ହେବାରୁ ରାସ୍ତା ଉପରେ ଚିକିତ୍ସିତ ହେଉଛନ୍ତି ଅନେକ ରୋଗୀ। ଆଉ ଦଉଡ଼ିରେ ଝୁଲୁଛି ସାଲାଇନ୍ ବୋତଲ!
‘ପ୍ରସାଦ’ ନମୁନା ପରୀକ୍ଷା ପାଇଁ ପଠାଯାଇଛି, ଏବଂ ଅଧିକାଂଶ ରୋଗୀଙ୍କ ଅବସ୍ଥା ଏବେ ସ୍ଥିର ରହିଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରର ବୁଲଧାନା ଜିଲ୍ଲାରେ ଏକ ଧାର୍ମିକ କାର୍ଯ୍ୟକ୍ରମ ସମୟରେ ପ୍ରସାଦ ଖାଇ ମହିଳା ଓ ଶିଶୁଙ୍କ ସମେତ ୩୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି।
ବୁଲଧାନା ଜିଲ୍ଲାପାଳ କିରଣ ପାଟିଲ ଗଣମାଧ୍ୟମକୁ କହିଛନ୍ତି ଯେ ଲୋନାରର ସୋମଥାନା ଗ୍ରାମରେ ଏକ ସପ୍ତାହ ବ୍ୟାପୀ ଧାର୍ମିକ କାର୍ଯ୍ୟକ୍ରମ ‘ହରିନାମ ସପ୍ତାହ’ର ଶେଷ ଦିନରେ ମଙ୍ଗଳବାର ରାତିରେ ଏହି ଘଟଣା ଘଟିଛି।
ରାତି ୧୦ଟାରେ ସୋମଥାନା ଓ ଖପରଖେଡ ଗ୍ରାମର ଶ୍ରଦ୍ଧାଳୁମାନେ ପ୍ରସାଦ ସେବନ ପାଇଁ ମନ୍ଦିରକୁ ଆସିଥିଲେ। ପ୍ରସାଦ ସେବନ କରିବା ପରେ ସେମାନେ ପେଟ ଯନ୍ତ୍ରଣା ଓ ବାନ୍ତି ଅନୁଭବ କରିଥିଲେ। ଅସୁସ୍ଥ ହୋଇପଡ଼ିଥିବା ଲୋକଙ୍କୁ ନିକଟସ୍ଥ ବିବି ଗାଁର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଶଯ୍ୟା ଅଭାବରୁ ଅଧିକାଂଶ ରୋଗୀଙ୍କୁ ହସ୍ପିଟାଲ ବାହାରେ ରାସ୍ତାରେ ଚିକିତ୍ସା କରିବାକୁ ପଡିଥିଲା। ଗଛରେ ଲାଗିଥିବା ଦଉଡ଼ିରେ ସାଲାଇନ୍ ବୋତଲ ଲଗାଯାଇ ଏମାନଙ୍କର ଚିକିତ୍ସା କରା ଯାଇଥିଲା।
ଏହି ଧାର୍ମିକ କାର୍ଯ୍ୟକ୍ରମରେ ୪୦୦ରୁ ୫୦୦ ଲୋକଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା। ଅନେକ ଲୋକ ‘ଫୁଡ୍ ପଏଜନିଂ’ ରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଛନ୍ତି ବୋଲି ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି।
ସମସ୍ତ ରୋଗୀଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ବୁଧବାର ଡିସଚାର୍ଜ କରାଯାଇଛି ବୋଲି ଜିଲ୍ଲାପାଳ ପାଟିଲ କହିଛନ୍ତି। ଜରୁରୀକାଳୀନ ପରିସ୍ଥିତି ଉପୁଜିଲେ ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଆବଶ୍ୟକୀୟ ଉପକରଣ ସହ ଡାକ୍ତରଙ୍କ ଏକ ଟିମ୍ ମୁତୟନ କରାଯାଇଛି। ପ୍ରସାଦର ନମୁନା ପରୀକ୍ଷା ପାଇଁ ପରୀକ୍ଷାଗାରକୁ ପଠାଯାଇଛି ଏବଂ ଏହାର ତଦନ୍ତ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି।