ମୁମ୍ବାଇ: ଗତରାତିରେ ପନ୍‌ୱେଲ୍‌ସ୍ଥିତ ଫାର୍ମହାଉସ୍‌ରେ ଅଭିନେତା ସଲ୍‌ମନ୍‌ ଖାଁଙ୍କୁ ସର୍ପ ଦଂଶନ କରିଥିବା ଜଣାପଡ଼ିଛି। ଚିକିତ୍ସା ନିମନ୍ତେ ତୁରନ୍ତ ତାଙ୍କୁ ନୱି ମୁମ୍ବାଇର କାମୋଥେ ଅଞ୍ଚଳରେ ଥିବା ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା।

Advertisment

କୁହାଯାଉଛି, ତାଙ୍କୁ କାମୁଡ଼ି ଥିବା ସାପଟି ବିଷହୀନ। ଆବଶ୍ୟକ ଚିକିତ୍ସା କରାଯିବା ପରେ ତାଙ୍କୁ ଡାକ୍ତରଖାନାରୁ ଛାଡ଼ି ଦିଆଯାଇଛି। ଏବେ ସେ ଫାର୍ମହାଉସ୍‌ରେ ବିଶ୍ରାମ ନେଉଛନ୍ତି।

ଆଗାମୀକାଲି (ଡିସେମ୍ବର ୨୭) ଜନ୍ମଦିନ ପଡୁଥିବା ସଲ୍‌ମନ୍‌ ଖାଁ ତାଙ୍କ ଫାର୍ମହାଉସ୍‌ରେ ଅବସ୍ଥାନ କରୁଥିଲେ। ଫାର୍ମହାଉସ୍‌ର ମୁଖ୍ୟ ପାଦଚଲା ରାସ୍ତା ବାହାରେ ଥିବା ଗୋଟାଏ ବାଗାନ୍‌ ଅଞ୍ଚଳରେ ସର୍ପାଘାତ ଘଟଣା ଘଟିଥିଲା। ସଲ୍‌ମନ୍‌ଙ୍କ ପ୍ରକାଣ୍ଡ ଫାର୍ମହାଉସ୍‌ଟି ଜଙ୍ଗଲ ଓ ପାହାଡ଼ ଘେରରେ ରହିଛି। ସେଠାରେ ଅସୁମାରି ଗଛବୃଚ୍ଛ ଓ ପଶୁପକ୍ଷୀ ଅଛନ୍ତି। ଉକ୍ତ ଫାର୍ମହାଉସ୍‌ ଆଖପାଖରେ ସଲ୍‌ମନ୍‌ ଅନେକ ସାପ ଦେଖିଛନ୍ତି। ତେଣୁ, ସେଠାକାର ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା କର୍ମଚାରୀମାନଙ୍କୁ ଅଧିକ ସତର୍କ ହେବାକୁ କହନ୍ତି।

publive-image Image Courtesy of The Times of India

ସାପ କାମୁଡ଼ିବା ବେଳେ ସଲ୍‌ମନ୍‌ ଖାଁ ସେଠାରେ ବସି କେତେକ ସାଙ୍ଗଙ୍କ ସହ ଚାଟିଙ୍ଗ୍‌ କରୁଥିଲେ। ତାଙ୍କ ବାହୁରେ କିଏ‌ ଗୋଟାଏ ଦଂଶି ଦେବାରୁ ସେ ଚମକି ପଡ଼ିଲେ। ସେତିକି ବେଳେ ତାଙ୍କର ଜଣେ ବନ୍ଧୁ ସାପଟିକୁ ଦେଖି ପକାଇଥିଲେ। ଛାନିଆରେ ଦୁହେଁ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ।

ତୁରନ୍ତ ତାଙ୍କୁ କାମୋଥ ହସ୍ପିଟାଲ୍‌କୁ ନିଆଯାଇଥିଲା ଏବଂ ସେଠାରେ ସେ ପ୍ରାୟ ୬/୭ ଘଣ୍ଟା ଥିଲେ। ସୁସ୍ଥ ହେବା ପରେ ସେ ପୁନଶ୍ଚ ପନ୍‌ୱେଲ୍‌ ଫାର୍ମହାଉସ୍‌କୁ ଫେରିଆସିଛନ୍ତି।

ସୀମିତସଂଖ୍ୟକ ସାଙ୍ଗସାଥୀଙ୍କ ମେଳରେ ଆଗାମୀକାଲି ସଲ୍‌ମନ୍‌ ସେଠାରେ ୫୬ତମ ଜନ୍ମଦିନ ପାଳନ କରିବେ।