ସଲମାନଙ୍କୁ ହତ୍ୟା ଧମକ ଦେଇ ଇ-ମେଲ୍ ପଠାଇଥିବା ଅଭିଯୁକ୍ତ ଗିରଫ

ମୁମ୍ବାଇ: ସଲମାନଙ୍କୁ ହତ୍ୟା ଧମକ ଦେଇ ଇ-ମେଲ୍ ପଠାଇଥିବା ଅଭିଯୁକ୍ତ ଗିରଫ। ରବିବାର ମୁମ୍ବାଇ ପୁଲିସ ସହ ମିଳିତ ସର୍ଚ୍ଚ ଅପରେସନ କରି ଯୋଧପୁର ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଯୋଧପୁରର ଲୁନି ପୁଲିସ ଷ୍ଟେସନ ଏସଏଚଓ ଇଶ୍ୱର ଚାନ୍ଦ ପାରିକ୍ କହିଛନ୍ତି ଯେ ସଲମାନ ଖାନଙ୍କୁ ହତ୍ୟା କରିବାର ଧମକ ମିଳିବା ପରେ ମାର୍ଚ୍ଚ ୧୮ରେ ମୁମ୍ବାଇର ବାନ୍ଦ୍ରା ପୁଲିସ ଷ୍ଟେସନରେ ଏତଲା ପଞ୍ଜିକୃତ ହୋଇଥିଲା। ଏତଲା ପଞ୍ଜିକୃତ ହେବା ପରେ ମୁମ୍ବାଇ ପୁଲିସ ତଦନ୍ତ ଆରମ୍ଭ କରି ଜାଣିବାକୁ ପାଇଥିଲା ଯେ ରାଜସ୍ଥାନର ଯୋଧପୁରରୁ ଏହି ଇମେଲ ପଠାଯାଇଛି । ପରେ ଏହି ସୂଚନା ଯୋଧପୁର ପୁଲିସକୁ ପଠାଯାଇଥିଲା। ଯୋଧପୁର ପୁଲିସ ଅଧିକ ଅନୁସନ୍ଧାନ କରି ଜାଣିଥିଲା ଯେ ଯୋଧପୁରର ସିଆଗୋ କି ଧାନୀରେ ରହୁଥିବା ଧାକଡରାମ ବିଷ୍ଣୋଇଙ୍କ ଦ୍ୱାରା ଏହି ଇମେଲ ପଠାଯାଇଛି। ଏହି ସୂଚନା ପାଇବା ପରେ ମୁମ୍ବାଇ ଓ ଯୋଧପୁର ପୁଲିସ ମିଳିତ ସର୍ଚ୍ଚ ଅପରେସନ କରି ଅଭିଯୁକ୍ତକୁ ଗିରଫ କରିଛନ୍ତି।

ରବିବାର ଦିନ ଯୋଧପୁର ପୁଲିସ, ବାନ୍ଦ୍ରା ପୁଲିସ ଷ୍ଟେସନର ସହକାରୀ ସବ୍-ଇନ୍ସପେକ୍ଟର ବଜରଙ୍ଗ ଜଗତାପଙ୍କ ସହ ମିଳିତ ସର୍ଚ୍ଚ ଅପରେସନ କରି ୨୧ବର୍ଷୀୟ ଧାକଡରାମଙ୍କୁ ଗିରଫ କରି ମୁମ୍ବାଇ ଫେରିଥିବା ଜଣାପଡ଼ିଛି।

ଧାକଡରାମ, ସଲମାନଙ୍କର ଜଣେ ଘନିଷ୍ଠ ସହଯୋଗୀ ପ୍ରଶାନ୍ତ ଗୁଞ୍ଜଲକରଙ୍କୁ ମାର୍ଚ୍ଚ ୧୮ରେ ଏକ ଇ-ମେଲ୍‌ ପଠାଇ ଅଭିନେତାଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲା। ସଲମାନଙ୍କ ଅବସ୍ଥା ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲା ଭଳି ହେବ ବୋଲି ଲେଖିଥିଲା ଧାକଡରାମ।

ସମ୍ବନ୍ଧିତ ଖବର