ରାହୁଲଙ୍କୁ ଟାର୍ଗେଟ୍‌ କଲେ ବରିଷ୍ଠ କଂଗ୍ରେସ ନେତା ସଲମାନ୍‌ ଖୁର୍ସିଦ୍‌

ନୂଆଦିଲ୍ଲୀ : ଆଉ ମାତ୍ର କିଛିଦିନ ପରେ ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ଥିବାବେଳେ ଏହା ପୂର୍ବରୁ କଂଗ୍ରେସରେ ନେତୃତ୍ବ ସଙ୍କଟ ଦେଖାଦେଇଛି। ଦୁଇ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହ ପ୍ରଚାର ଆରମ୍ଭ କରିସାରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଯାବତ୍‌ ପ୍ରଚାର ମଇଦାନକୁ ଓହ୍ଲାଇ ନାହାନ୍ତି। ନିର୍ବାଚନ ସମୟରେ ରାହୁଲ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିବାକୁ ନେଇ ରାଜନୈତିକ ମହଲରେ ପ୍ରଶ୍ନ ଉଠିଛି। ତେବେ ଏହି ସମୟରେ ବରିଷ୍ଠ କଂଗ୍ରେସ ନେତା ସଲମାନ୍‌ ଖୁର୍ସିଦ୍‌ ରାହୁଲ ଗାନ୍ଧୀଙ୍କୁ ନେଇ ଯେଉଁ ଟିପ୍ପଣୀ ରଖିଛନ୍ତି ତାହାକୁ ନେଇ ରାଜନୀତି ସରଗରମ ହୋଇଉଠିଛି। ଖୁର୍ସିଦ୍‌ କହିଛନ୍ତି, ଗତ ଲୋକସଭା ନିର୍ବାଚନରେ ଆମେ କାହିଁକି ହାରିଲୁ ସେ ବିଷୟରେ ଆମେ କିଛି ଆକଳନ କି ଆତ୍ମସମୀକ୍ଷା କରିନାହୁଁ । ଆମର ସବୁଠାରୁ ବଡ଼ ସମସ୍ୟା ହେଉଛି ‌ଆମ ନେତା ଦଳ ଛାଡ଼ି ପଳାଉଛନ୍ତି। ରାହୁଲ ସଭାପତି ପଦରୁ ଇସ୍ତଫା ଦେବା ପରଠାରୁ ଏହି ପ୍ରକ୍ରିୟା ଜାରି ରହିଛି।

ସଲମାନ୍‌ଙ୍କ ସହ ସ୍ବର ମିଳାଇ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ କହିଛନ୍ତି, କଂଗ୍ରେସର ଏବେ ଆତ୍ମସମୀକ୍ଷା ଜରୁରୀ ହୋଇପଡ଼ିଛି, ଅନ୍ୟଥା ଏହା ଧ୍ବଂସ ଆଡ଼କୁ ଗତି କରିବ। ସେହିପରି କଂଗ୍ରେସ ନେତା ସଂଜୟ ନିରୁପମ ମଧ୍ୟ ଖୁର୍ସିଦ୍‌ଙ୍କ କଥାରେ ସହମତି ପ୍ରକାଶ କରିଛନ୍ତି। ନିରୁପମ କହିଛନ୍ତି, ରାହୁଲ ଗାନ୍ଧୀ କଂଗ୍ରେସ ଦଳକୁ ସାହାଯ୍ୟ କରିପାରିବେ ବୋଲି ସେ ବିଶ୍ବାସ କରୁଛନ୍ତି।

ତେବେ ଖୁର୍ସିଦ୍‌ଙ୍କର ଏହି ଟିପ୍ପଣୀ ପାଇଁ କଂଗ୍ରେସ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ କରି କୁହାଯାଇଛି ଯେ, ଖୁର୍ସିଦ୍‌ ଏଭଳି ଟିପ୍ପଣୀ ‌ଦେବା ପରିବର୍ତ୍ତେ ବିଜେପିର ବିଫଳତା ପଦାରେ ପକାଇବା ଦିଗରେ ଅଧିକ ଫୋକସ୍‌ କରିବା ଉଚିତ।

ସମ୍ବନ୍ଧିତ ଖବର