ରୁଶଦି ଆକ୍ରମଣ : ସଭାସ୍ଥଳରେ ସୁରକ୍ଷା ବ୍ୟବସ୍ଥା ନଥିଲା

ନ୍ୟୁୟର୍କ : ଭାରତ ଜନ୍ମିତ ବିଶ୍ବ ପ୍ରସିଦ୍ଧ ଲେଖକ ସଲମାନ ରୁଶଦିଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି । ସେ ଏବେ ବି ଭେଣ୍ଟିଲେଟରରେ ଅଛନ୍ତି । ସେ ଗୋଟିଏ ଆଖି ହରାଇପାରନ୍ତି ବୋଲି ଆଶଙ୍କା କରାଯାଉଛି ।

ଅନ୍ୟପକ୍ଷରେ ଶୁକ୍ରବାର ହୋଇଥିବା ଆକ୍ରମଣର ତଦନ୍ତ ଆରମ୍ଭ ହୋଇଛି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଆକ୍ରମଣ ହୋଇଥିବା ସ୍ଥାନ ପଶ୍ଚିମ ନ୍ୟୁୟର୍କର ଚୌତୌକ୍ବା ପ୍ରତିଷ୍ଠାନ ପକ୍ଷରୁ କେତେକ ସୁରକ୍ଷା ତ୍ରୁଟି କରାଯାଇଥିଲା । ଏପରିକି ସଭାସ୍ଥଳର ପ୍ରବେଶ ପଥରେ କୌଣସି ମେଟାଲ ଡିଟେକ୍ଟରର ବ୍ୟବସ୍ଥା କରାଯାଇନଥିଲା । ସଭାସ୍ଥଳରେ ଯଥେଷ୍ଟ ସଂଖ୍ୟକ ସୁରକ୍ଷାକର୍ମୀ ନଥିଲେ ଓ ଦର୍ଶକମାନଙ୍କୁ ଯାଞ୍ଚ କରାଯାଉନଥିଲା । ଅତିଥି ଓ ଲୋକମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି ହେବା ଆଶଙ୍କାରେ ସୁରକ୍ଷା ବ୍ୟବସ୍ଥା କରିବାକୁ ଆୟୋଜକ ପୂର୍ବରୁ ମନା କରିଦେଇଥିଲେ । ମାତ୍ର ରୁଶଦିଙ୍କ ପରି ହାଇପ୍ରୋଫାଇଲ ଅତିଥିଙ୍କ ଉପସ୍ଥିତି ସତ୍ତ୍ବେ ସୁରକ୍ଷା ବ୍ୟବସ୍ଥା ନ କରିବା ତାଙ୍କ ପାଇଁ ମହଙ୍ଗା ପଡ଼ିଥିଲା ବୋଲି କୁହାଯାଉଛି । ତେବେ ଏ ସମ୍ପର୍କରେ ନ୍ୟୁୟର୍କର ଚୌତୌକ୍ବା ପ୍ରତିଷ୍ଠାନ ପକ୍ଷରୁ କୌଣସି ବୟାନ ଜାରି କରାଯାଇନାହିଁ ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ସକାଳେ ବୁକର ପୁରସ୍କାର ଜିତିଥିବା ରୁଶଦି ଚୌତୌକ୍ବା ପ୍ରତିଷ୍ଠାନରେ ଭାଷଣ ଦେଉଥିବାବେଳେ ଏହି ଘଟଣା ଘଟିଥିଲା । ହାଦି ମଟର ନାମକ ନ୍ୟୁଜର୍ସିର ଏକ ବ୍ୟକ୍ତି ମଞ୍ଚରେ ଚଢି ତାଙ୍କୁ ଛୁରୀ ଭୁସିଥିଲା । ସେ ଇରାନର ସମର୍ଥକ ବୋଲି ଜଣାପଡ଼ିଛି ।

 

ସମ୍ବନ୍ଧିତ ଖବର