ଲଣ୍ଡନ : ପ୍ରସିଦ୍ଧ ଲେଖକ ସଲମାନ ରୁଶଦିଙ୍କ ଉପରେ ହୋଇଥିବା ଆକ୍ରମଣକୁ ଏକ ମାସ ପୂରଣ ହୋଇଛି । ଏହି ଆକ୍ରମଣରେ ଆହତ ହୋଇଥିବା ରୁଶଦି ଏବେ ବି ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ସୁଧାର ଆସୁଛି । ଅସୁସ୍ଥ ଥିବା ସତ୍ତ୍ବେ ବି ତାଙ୍କର ମସ୍ତିଷ୍କ ପୂର୍ବାପେକ୍ଷା ଅଧିକ ପ୍ରଖର ଗତିରେ କାମ କରୁଛି ବୋଲି ଦାବି କରିଛନ୍ତି ତାଙ୍କ ବନ୍ଧୁ ସୁକେତୁ ମେହେତା । ସେ କହିଛନ୍ତି ଯେ, ସଲମାନ ଅବିଶ୍ବନୀୟ ! ତାଙ୍କ ଶରୀରରେ ଏକ ଡଜନରୁ ଅଧିକ କ୍ଷତ ଥିଲେ ବି ତାଙ୍କ ମନ ଓ ମସ୍ତିଷ୍କ ଅଧିକ ତୀକ୍ଷଣ ଓ ପ୍ରଖରଭାବେ କାମ କରୁଛି । ଶଯ୍ୟାଶାୟୀ ଥାଇବି ସେ ମଜା କରୁଛନ୍ତି । ତେବେ, ସେ ସଂପୂର୍ଣ୍ଣ ସୁସ୍ଥ ହେବାକୁ ଆହୁରି ଲମ୍ବା ସମୟ ଲାଗିଯିବ ବୋଲି ସୁକେତୁ କହିଛନ୍ତି ।

Advertisment

ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୧୨ରେ ସକାଳେ ବୁକର ପୁରସ୍କାର ଜିତିଥିବା ରୁଶଦି ନ୍ୟୁୟର୍କ ଉପକଣ୍ଠରେ ଥିବା ଚୌତୌକ୍ବା ପ୍ରତିଷ୍ଠାନରେ ଭାଷଣ ଦେଉଥିବାବେଳେ ତାଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା ।  ହାଦି ମଟର ନାମକ ନ୍ୟୁଜର୍ସିର ଏକ ବ୍ୟକ୍ତି ମଞ୍ଚରେ ଚଢି ତାଙ୍କୁ ଛୁରୀ ଭୁସିଥିଲା । ସେ ଇରାନର ସମର୍ଥକ ବୋଲି ଜଣାପଡ଼ିଥିଲା । ତେବେ ଏହି ଆକ୍ରମଣରେ ରୁଶଦି ଆହତ ହୋଇଥିଲେ ବି ବଞ୍ଚିଯାଇଥିଲେ ।