ଲକ୍‌ଡାଉନ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ବର୍ଷିଲେ ସଲ୍‌ମାନ

ମୁମ୍ବାଇ: ଲକ୍‌ଡାଉନ ନିୟମ ଉଲ୍ଲଂଘନକାରୀମାନେ ସ୍ବାସ୍ଥ୍ୟ କର୍ମୀ ଏବଂ ପୁଲିସ ଉପରକୁ ଟେକା ପଥର ମାଡ଼ କରୁଥିବାରୁ ସେମାନଙ୍କ ଉପରେ ବର୍ଷିଛନ୍ତି ବଲିଉଡ ଅଭିନେତା ସଲ୍‌ମାନ ଖାନ୍‌। ସଲ୍‌ମାନ ସରକାରଙ୍କ ଲକ୍‌ଡାଉନ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଯେଉଁମାନେ ଲକ୍‌ଡାଉନ ନିୟମକୁ ପାଳନ କରୁନାହାନ୍ତି ଏବଂ ସ୍ବାସ୍ଥ୍ୟକର୍ମୀ ଓ ପୁଲିସ ଉପରେ ଆକ୍ରମଣ କରୁଛନ୍ତି, ସେମାନେ ଏଭଳି କାର୍ଯ୍ୟରୁ ଦୂରେଇ ରହିବାକୁ ସଲ୍‌ମାନ କହିଛନ୍ତି। ଏହି ଅବସରରେ ସଲ୍‌ମାନ ଲକ୍‌ଡାଉନ ସମୟରେ ତାଙ୍କ ଜୀବନ କିଭଳି କଟୁଛି, ସେ ନେଇ ୧୦ ମିନିଟ୍‌ ଅବଧିର ଏକ ଭିଡିଓ ଜାରି କରିଛନ୍ତି। ଲକ୍‌ଡାଉନ ସମୟରେ ସଲମାନ ଏବେ ନିଜ ଫାର୍ମହାଉସରେ ମା’ ସଲ୍‌ମା, ଭଉଣୀ ଅଲ୍‌ଭିରା ଅଗ୍ନିହୋତ୍ରୀ, ଅର୍ପିତା ଖାନ୍‌ଶର୍ମା, ଭିଣୋଇ ଆୟୁଷ ଶର୍ମା, ପୁତୁରା ଆହିଲ ଏବଂ ଆଉ ଅଳ୍ପ କେତେକ ବନ୍ଧୁଙ୍କ ଗହଣରେ ଅବସ୍ଥାନ କରୁଛନ୍ତି। ସଲ୍‌ମାନ କହିଛନ୍ତି, ସେ ଛୁଟି କାଟିବାକୁ ନିଜ ଫାର୍ମ ହାଉସକୁ ଆସିଥିଲେ। ମାତ୍ର କରୋନା ଭାଇରସ ସମସ୍ତଙ୍କ ପାଇଁ ଛୁଟିର ଅବସର ସୃଷ୍ଟି କରିଛି। ଏହି ସମୟରେ ସମସ୍ତେ ଲକ୍‌ଡାଉନ ନିୟମ ମାନି ବାହାରକୁ ନ ବାହାରିବା ଏବଂ ମୁହଁରେ ମାସ୍କ ପିନ୍ଧିବାକୁ ସଲ୍‌ମାନ ନିବେଦନ କରିଛନ୍ତି। ପୁଲିସ ଏବଂ ସ୍ବାସ୍ଥ୍ୟକର୍ମୀମାନେ ବର୍ତ୍ତମାନ ସମ୍ମୁଖ ଯୋଦ୍ଧାଙ୍କ ଭଳି ନିଜ ଜୀବନକୁ ପାଣି ଛଡ଼େଇ ଲୋକଙ୍କ ପାଇଁ କାମ କରୁଛନ୍ତି। ମାତ୍ର, କେତେକ ଲୋକେ ସେମାନଙ୍କ ଉପରକୁ ଟେକା, ପଥର ଫିଙ୍ଗିବା ସହ ଦୁର୍ବ୍ୟବହାର କରୁଛନ୍ତି। ଏହା ନିନ୍ଦନୀୟ ବୋଲି ସଲ୍‌ମାନ କହିଛନ୍ତି।

ସମ୍ବନ୍ଧିତ ଖବର