ମୁମ୍ବାଇ: ମୁମ୍ବାଇ ପୁଲିସ ବୁଧବାର ଜାମସେଦପୁରରୁ ଜଣେ ପରିବା ବିକାଳିକୁ ଗିରଫ କରିଛି। ବଲିଉଡ ଅଭିନେତା ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ଏବଂ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ନାଁରେ ୫ କୋଟି ଟଙ୍କା ଦାଦାବଟି ଦାବି କରିଥିବା ଅଭିଯୋଗରେ ମୁମ୍ବାଇ ପୁଲିସ ତାଙ୍କୁ ଗିରଫ କରିଛି। ଅକ୍ଟୋବର ୧୮ ତାରିଖରେ ମୁମ୍ବାଇ ଟ୍ରାଫିକ ପୁଲିସ ଏକ ଧମକପୂର୍ଣ୍ଣ ମେସେଜ୍ ପାଇବାପରେ ତଦନ୍ତ ଆରମ୍ଭ କରିଥିଲା। ପୁଲିସ ଅଧିକାରୀଙ୍କ ଅନୁଯାୟୀ ଜଣେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ତେବେ ଜାମସେଦପୁରରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହି ଧମକ ଦେଇଥିବା ବ୍ୟକ୍ତିକୁ ଆମେ ଚିହ୍ନଟ କରି ଗିରଫ କଲୁ ବୋଲି ପୁଲିସ କହିଛି।
ପ୍ରଥମେ ଏକ ଧମକପୂର୍ଣ୍ଣ ମେସେଜ୍ ଦେଇ କୁହାଯାଇଥିଲା ଯେ ସଲମାନ ଖାନ୍ଙ୍କ ଜୀବନ ବିପଦରେ ଅଛି। ମେସେଜ୍ରେ କୁହାଯାଇଥିଲା, ଏହାକୁ ଆଦୌ ହାଲୁକା ଭାବେ ଗ୍ରହଣ କରନାହିଁ। ଯଦି ସଲମାନ ଖାନ୍ ଜୀବିତ ରହିବାକୁ ଚାହୁଛନ୍ତି ଏବଂ ଲରେନ୍ସ ବିଷ୍ଣୋଇ ସହ ଶତ୍ରୁତା ଶେଷ କରିବାକୁ ଚାହୁଛନ୍ତି ତେବେ ତାକୁ ୫ କୋଟି ଦେବାକୁ ପଡ଼ିବ। ଯଦି ସେ ଏହି ଟଙ୍କା ନ ଦିଅନ୍ତି ତେବେ ସଲମାନଙ୍କ ଅବସ୍ଥା ବାବା ସିଦ୍ଦିକଙ୍କଠାରୁ ଆହୁରି ଖରାପ୍ ହେବ। ତେବେ ଅକ୍ଟୋବର ୨୧ ତାରିଖରେ ଏହି ମେସେଜ୍ ଦେଇଥିବା ବ୍ୟକ୍ତି ପୁଣିଥରେ ପୁଲିସକୁ ଯୋଗାଯୋଗ କରି ପୂର୍ବ ମେସେଜ୍ ପାଇଁ କ୍ଷମା ମାଗିଥିଲା। ଭୁଲ୍ବଶତଃ ଏଭଳି ଏକ ମେସେଜ୍ ସେ ପଠାଇ ଦେଇଥିବା କହିଥିଲା।