ସେଲ୍‌ଟର ହୋମ୍‌ ନା ‘ନର୍କ’?

ନାବାଳକଙ୍କୁ ଅପ୍ରାକୃତିକ ଯୌନ ଶୋଷଣ, ୭୦ ବର୍ଷୀୟ ଆଶ୍ରୟସ୍ଥଳ ମାଲିକ ଗିରଫ

ଭୋପାଳ: ସେଲ୍‌ଟର ହୋମ୍‌ରେ ସେଇମାନଙ୍କୁ ଆଶ୍ରୟ ଦିଆଯାଏ, ଯେଉଁମାନଙ୍କର କେହି ଆଗକୁ ପଛକୁ ନଥାନ୍ତି। କିନ୍ତୁ ଏହି ଆଶ୍ରୟସ୍ଥଳ ଯଦି ‘ନର୍କ’ ସାଜି କେବଳ ଯନ୍ତ୍ରଣା ଦିଏ, ତା’ହେଲେ କ’ଣ ହେବ? ବିହାର, ଉତ୍ତର ପ୍ରଦେଶ ପରେ ଭୋପାଳ ଆଶ୍ରୟସ୍ଥଳ ଯୌନ ନିର୍ଯାତନା ଘଟଣା ଏବେ ଏହି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଭୋପାଳର ଏକ ମୂକ-ବଧୀର ସେଲ୍‌ଟର ହୋମ୍‌ରେ ନାବାଳକ ଓ ନାବାଳିକାଙ୍କ ପ୍ରତି ପାଶବିକ ଅତ୍ୟାଚାର କରାଯାଇଛି। ନାବାଳକଙ୍କୁ ଅପ୍ରାକୃତିକ ଯୌନ ନିର୍ଯାତନା ଦିଆଯାଇଥିବା ବେଳେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଛି। ଘଟଣାରେ ସେଲ୍‌ଟର ହୋମ୍‌ର ମାଲିକ ୭୦ ବର୍ଷୀୟ ଏମ୍‌ ପି ଅଓ୍ଵସ୍ଥିକୁ ଗିରଫ କରାଯାଇଛି।

ଅଭିଯୋଗ ଅନୁସାରେ, ଦୀର୍ଘଦିନ ଧରି ଅଓ୍ଵସ୍ଥି ପିଲାମାନଙ୍କୁ ନିର୍ଯାତନା ଦେଇଆସୁଥିଲା। ଏମିତି କି ଅତ୍ୟଧିକ ଯୌନ ଉତ୍ପୀଡ଼ନ ସହିନପାରି ୩ ଜଣ ଅନ୍ତେବାସୀ ପ୍ରାଣ ହରାଇଥିବା ଜଣାପଡ଼ିଛି। ତେବେ ପୁଲିସ ନିକଟରେ ଅଭିଯୋଗ କରିବା ପୂର୍ବରୁ ୫ ଜଣ ଅନ୍ତେବାସୀ (୩ ଜଣ ପୁଅ, ୨ ଜଣ ଝିଅ) ପ୍ରଥମେ ସାମାଜିକ ନ୍ୟାୟ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଏ ନେଇ ଏକ ଏତଲାରେ ପୀଡ଼ିତ ଅନ୍ତେବାସୀମାନେ ଯେଉଁ ଅଭିଯୋଗ ଆଣିଛନ୍ତି, ତାହାକୁ ନେଇ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି। ୭୦ ବର୍ଷୀୟ ବୃଦ୍ଧ ଅଓ୍ଵସ୍ଥି ଜଣେ ନାବାଳକକୁ ଅତ୍ୟଧିକ ଯୌନ ନିର୍ଯାତନା ଦେବା ଯୋଗୁ ତା’ର ପ୍ରବଳ ରକ୍ତସ୍ରାବ ହୋଇ ମୃତ୍ୟୁ ଘଟିଥିବା ଅଭିଯୋଗରେ ଦର୍ଶାଯାଇଛି। ସେମାନେ ଅଭିଯୋଗରେ ଆହୁରି ଦର୍ଶାଇଛନ୍ତି ଯେ ଆଶ୍ରୟସ୍ଥଳ ମଧ୍ୟରେ ସବୁବେଳେ ଅଓ୍ଵସ୍ଥି ଜୁଲମ୍‌ କରିଆସୁଥିଲା। ବାହାରକୁ ଯିବାକୁ ଦେଉନଥିଲା। ଏମିତି କି ଯୌନ ଶୋଷଣକୁ ବାରଣ କଲେ ପ୍ରବଳ ଶାରୀରିକ ନିର୍ଯାତନା ଦେଉଥିଲା। ଗତବର୍ଷ ଜଣେ ନାବାଳକକୁ ରାତିସାରା ଥଣ୍ଡା କାକରରେ ବାନ୍ଧି ରଖିଥିଲା। ଫଳରେ ତା’ର ମୃତ୍ୟୁ ଘଟିଥିଲା। ଆଶ୍ରୟସ୍ଥଳର ଜଣେ ୧୮ ବର୍ଷୀୟା ଝିଅ ଦର୍ଶାଇଛନ୍ତି ଯେ ତାଙ୍କୁ ଅଓ୍ଵସ୍ଥି ଲଗାତର ୮ ବର୍ଷ ହେଲା ଦୁଷ୍କର୍ମ କରିଆସୁଛି। ଅନ୍ୟ କର୍ମଚାରୀମାନେ ଏକଥା ଜାଣି ସୁଦ୍ଧା ଚୁପ୍‌ ରହୁଥିଲେ। ଅଓ୍ଵସ୍ଥି ତା’ର ଅନ୍ୟ ଏକ ଆଶ୍ରୟସ୍ଥଳରୁ ତାଙ୍କ ପ୍ରତି ଏଭଳି ପାଶବିକ ନିର୍ଯାତନା ଆରମ୍ଭ କରିଥିଲା।

ଅଭିଯୁକ୍ତ ଏମ୍‌ ପି ଅଓ୍ଵସ୍ଥି ପୂର୍ବରୁ ମଧ୍ୟ ଏଭଳି ଏକ ଘଟଣାରେ ଗିରଫ ହୋଇଥିଲା। ହୋସଙ୍ଗବାଦଠାରେ ତା’ର ଏକ ଆଶ୍ରୟସ୍ଥଳ ଥିଲା, ଯେଉଁଠାରେ ସେ ପିଲାମାନଙ୍କୁ ଯୌନ ନିର୍ଯାତନା ଦେଉଥିଲା। କିନ୍ତୁ ସେତେବେଳେ ତାକୁ ଗିରଫ ପରେ ଛାଡ଼ିଦିଆଯାଇଥିଲା। କିଛିଦିନ ପରେ ଭୋପାଳରେ ସେ ଆଉଏକ ଘରୋଇ ଆଶ୍ରୟସ୍ଥଳ ଆରମ୍ଭ କରିଥିଲା। ଏଠାରେ ୧୦ରୁ କମ୍‌ ବର୍ଷ ବୟସର ପିଲାମାନଙ୍କୁ ସେ ଯୌନ ଶୋଷଣ କରିଆସୁଥିଲା। ଘଟଣାର ପର୍ଦାଫାସ ପରେ ମଧ୍ୟ ପ୍ରଦେଶରେ ଏହାକୁ ନେଇ ଲୋକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ପୂର୍ବବର୍ଷ ଏହି ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହୋଇଥିଲେ, ଏଭଳି ଘଟଣାର ପୁନରାବୃତ୍ତି ଘଟିନଥାନ୍ତା ବୋଲି କିଛି ସାମାଜିକ କର୍ମୀ ଦର୍ଶାଇଛନ୍ତି। ତେଣୁ ଅଭିଯୁକ୍ତକୁ ଖଲାସ କରାଯିବା ପଛରେ କାହାର ହାତ ରହିଛି, ତା’ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ବୋଲି ସେମାନେ ଦାବି କରିଛନ୍ତି। ଜଣେ ମୂକ ବଧୀର ନାବାଳିକା ସାଂକେତିକ ଭାଷାରେ ଦର୍ଶାଇଛି ଯେ ସେ ୫ ବର୍ଷର ଥିଲା ବେଳେ ତା’ର ପିତାମାତା ତାକୁ ଆଶ୍ରୟସ୍ଥଳରେ ଛାଡ଼ିଦେଇଥିଲେ। ଏହାପରେ ସେମାନେ ଆଉ ତା’ ସହ କୌଣସି ସଂପର୍କ ରଖିନାହାନ୍ତି। ଆଶ୍ରୟସ୍ଥଳରେ ମାଲିକ ଆମକୁ ସବୁ କାମରେ ଲଗାଇଥାଏ। କାମରେ ସାମାନ୍ୟ ଭୁଲ ହେଲେ ସେ ପ୍ରବଳ ପିଟୁଥିଲା। ଏହାପରେ ୨୦୧୦ରେ ମାଲିକ ଅଓ୍ଵସ୍ଥି ତାକୁ ଦୁଷ୍କର୍ମ କରିଥିଲା। ସେହି ଦିନଠାରୁ ତାକୁ ୮ ବର୍ଷ ଧରି ଦୁଷ୍କର୍ମ କରିଆସୁଥିଲା।

ସମ୍ବନ୍ଧିତ ଖବର