ସୈନିକମାନଙ୍କୁ ଅଭିବାଦନ ଜଣାଅ: ଟୋଲ୍‌ ପ୍ଲାଜା କର୍ମଚାରୀଙ୍କୁ ସରକାରଙ୍କ ଆଦେଶ

ନୂଆଦିଲ୍ଲୀ: ସଡ଼କ ଟିକସ ଆଦାୟ କରୁଥିବା କିଓସ୍କର କର୍ମଚାରୀମାନେ ଯାତ୍ରାରତ ସୈନିକମାନଙ୍କୁ ଠିଆ ହୋଇ ଅଭିବାଦ ଜଣାଇବାକୁ ସରକାର ଆଦେଶ ଦେଇଛନ୍ତି। ଟୋଲ୍‌ ପ୍ଲାଜାର କର୍ମଚାରୀମାନେ ସର୍ବଦା ସେମାନଙ୍କ ପ୍ରତି ରୁକ୍ଷ ବ୍ୟବହାର କରୁଥିବା କଥା ପ୍ରତିରକ୍ଷା କର୍ମଚାରୀମାନେ ଅଭିଯୋଗ କରିନ୍ତି।

ଏଥିପାଇଁ ଗତ ସପ୍ତାହରେ ‘ନ୍ୟାସ୍‌ନାଲ୍‌ ହାଇେଓ୍ଵ ଅଥରିଟି ଅଫ୍‌ ଇଣ୍ଡିଆ’ (ଏନ୍‌ଏଚ୍‌ଏଆଇ) ଏକ ପଲିସି ସର୍କ୍ୟୁଲାର୍‌ ଜାରି କରିଛି। ଦେଶ ପାଇଁ ସେମାନଙ୍କର ସେବା ଅତୁଳନୀୟ ହୋଇ ଥିବାରୁ ସେମାନେ ସର୍ବୋଚ୍ଚ ମାନ୍ୟତା ଏବଂ ସମ୍ମାନ ପାଇବାକୁ ଯୋଗ୍ୟ ବୋଲି ସେଥିରେ ଉଲ୍ଲେଖ କରାଯାଇଛି।

Image Courtesy of Daily Mail

ଟୋଲ୍‌ ପ୍ଲାଜାର କର୍ମଚାରୀମାନେ ଖାଲି ଟୋଲ୍‌ ଚାର୍ଜ ଦେବାକୁ ବାଧ୍ୟ କରୁ ନାହାନ୍ତି, ରୁକ୍ଷ ବ୍ୟବହାର ମଧ୍ୟ କରୁଛନ୍ତି ବୋଲି ସୈନିକମାନେ ଅଭିଯୋଗ କରିଥିଲେ। ଦେଶର ସମସ୍ତ ଟୋଲ୍‌ ପ୍ଲାଜାରେ ପଦାତିକ, ନୌସେନା ଏବଂ ବାୟୁସେନାର କର୍ମଚାରୀମାନଙ୍କୁ ଟିକସ ଛାଡ଼ କରାଯାଇଛି।

କିନ୍ତୁ, କେବଳ ଡିୟୁଟିରେ ଥିବା ସମୟରେ ହିଁ ଟେରିଟୋରିଆଲ୍‌ ଆର୍ମିର ଏବଂ ଏନ୍‌ସିସିର ସଦସ୍ୟମାନଙ୍କ ଠାରୁ ଟୋଲ୍‌ ପ୍ଲାଜାରେ ଟିକସ ନିଆଯିବ ନାହିଁ ବୋଲି ବ୍ୟବସ୍ଥା ରହିଛି। ଡିୟୁଟିରେ ଅଛନ୍ତି କହିବା ସତ୍ତ୍ୱେ ମଧ୍ୟ ସେମାନଙ୍କ ପରିଚୟ ପତ୍ର ଯାଞ୍ଚ କରିବା ପରିବର୍ତ୍ତେ ଟୋଲ୍‌ ପ୍ଲାଜା କର୍ମଚାରୀମାନେ ସେମାନଙ୍କୁ କଟୁ କଥା କହୁଛନ୍ତି ବୋଲି ପ୍ରତିରକ୍ଷା ବଳ ଏନ୍‌ଏଚ୍‌ଏଆଇରେ ଅଭିଯୋଗ କରିଥିଲା।

ଅଭିଯୋଗ ଆଧାରରେ ଏନ୍‌ଏଚ୍‌ଏଆଇ ଆଦେଶ ଦେଇଛି କି, ଯଦି ସନ୍ଦେହ ଉପୁଜେ ଜଣେ କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷ କିଂବା ଟୋଲ୍‌ ପରିଚାଳକ ଏଜେନ୍‌ସିର ଅଧିକାରୀ କେବଳ ସୈନିକମାନଙ୍କର ପରିଚୟ ପତ୍ର ଯାଞ୍ଚ କରି ପାରିବେ।

ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ସମେତ ୧୫ ଟି ବର୍ଗ ଉପରେ ଭାରତ ସରକାର ଟୋଲ୍‌ ଚାର୍ଜ ବସାନ୍ତି ନାହିଁ। ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସୁପ୍ରିମ୍‌ କୋର୍ଟ ଓ ହାଇକୋର୍ଟର ମୁଖ୍ୟ ବିଚାରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କ୍ୟାବିନେଟ୍‌ ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ବିଦେଶାଗତ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଠାରୁ ଟୋଲ୍‌ ଆଦାୟ କରାଯାଏ ନାହିଁ।

Image Courtesy of World News

ଏହାଛଡ଼ା ସଶସ୍ତ୍ର ବାହିନୀ, ପରାମିଲିଟାରି ଫୋର୍ସ, ଗାଲେଣ୍ଟ୍ରି ଆଓ୍ଵାର୍ଡ ଉଇନର୍‌, ଆମ୍ବ୍ୟୁଲାନ୍‌ସ୍‌ ଏବଂ ଦମକଳ ଭଳି ଜରୁରୀ କାଳିନୀ ସେବା ପ୍ରଦାନକାରୀ ଯାନବାହନ ଉପରେ ମଧ୍ୟ ଟୋଲ୍‌ ଟିକସ ଲଗୁ ହୁଏ ନାହିଁ। ଶତକଡ଼ା ୪୦% ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କ ଠାରୁ ମଧ୍ୟ ଏବେ ଟୋଲ୍‌ ଟିକସ ନିଆଯାଉ ନାହିଁ।

ଇଣ୍ଡିଆନ୍‌ ଟୋଲ୍‌ସ୍‌ (ଆର୍ମି ଆଣ୍ଡ୍‌ ଏୟାର ଫୋର୍ସ) ଆକ୍ଟ୍‌ ୧୯୦୧, ଅନୁସାରେ ସଶସ୍ତ୍ର ସେନା ସମସ୍ତ ପ୍ରକାରର ଟୋଲ୍‌ ଚାର୍ଜ ଛାଡ଼ ପାଇବା କଥା ଦର୍ଶାଉଛି। କିନ୍ତୁ, ‘କେବଳ ଡିୟୁଟି’ରେ ଥିବା ସୈନିକମାନଙ୍କୁ ଟୋଲ୍‌ ଛାଡ଼ କରାଯିବ ବୋଲି ସଡ଼କ ପରିବହନ ମନ୍ତ୍ରାଳୟ ଏବଂ ରାଜପଥ ଜାରି କରିଥିବା ଏକ ଚିଠି ଯୋଗୁଁ ବିବାଦ ବଢ଼ିଥିଲା।

ପ୍ରତିରକ୍ଷା ବଳ ଏବଂ ପରିବହନ ମନ୍ତ୍ରାଳୟ ମଧ୍ୟରେ ବିବାଦ ତେଜିବାରୁ ମାମଲା ନିମ୍ନ ଅଦାଲତକୁ ଯାଇଥିଲା। ପରେ ସେଠାରୁ ମାମଲା ଗଲା ସୁପ୍ରିମ୍‌ କୋର୍ଟକୁ। ସଶସ୍ତ୍ର ସେନା ଟୋଲ୍‌ ଟିକସ ମୁକ୍ତ ବୋଲି ନିମ୍ନ ଅଦାଲତ ଦେଇଥିବା ରାୟକୁ ସୁପ୍ରିମ୍‌ କୋର୍ଟ କାଏମ ରଖିଥିଲେ।

ସମ୍ବନ୍ଧିତ ଖବର