ସମାଜବାଦୀ ପାର୍ଟି ନେତା ଓ ତାଙ୍କ ପୁଅକୁ ରାସ୍ତା ଉପରେ ଗୁଳି ମାରି ହତ୍ୟା, ଡବଲ ମର୍ଡରର ଲାଇଭ୍‌ ଭିଡିଓ ଭାଇରାଲ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ସମ୍ଭାଲ ଜିଲ୍ଲାର ଚନ୍ଦୌସିରୁ ସାମଜବାଦୀ ପାର୍ଟିର ପୂର୍ବତନ ବିଧାନସଭା ପ୍ରାର୍ଥୀ ଛୋଟେଲାଲ ଦିବାକର ଓ ତାଙ୍କର ପୁଅକୁ ମଙ୍ଗଳବାର ସକାଳେ ଗୁଳି ମାରି ହତ୍ୟା କରାଯାଇଛି। ତେବେ ଏହି ହତ୍ୟାକାଣ୍ଡର ଦୃଶ୍ୟ କ୍ୟାମେରାରେ କଏଦ୍ ହୋଇଯାଇଛି। ସମାଜବାଦୀ ପାର୍ଟିର ଟୁଇଟର ହ୍ୟାଣ୍ଡେଲ୍‌ରେ ଏହି ଭିଡିଓକୁ ସେୟାର କରାଯାଇଛି। ଏହି ଗୁଳିକାଣ୍ଡ ପରେ ସମଗ୍ର ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ଖେଳି ଯାଇଛି।

ସୂଚନାଯୋଗ୍ୟ, ଛୋଟେଲାଲ ଦିବାକର ୨୦୧୭ରେ ବିଧାନସଭା ନିର୍ବାଚନରେ ସାମାଜବାଦୀ ପାର୍ଟିର ଟିକେଟରେ ଲଢ଼ିଥିଲେ। ଏହି ଗୁଳିକାଣ୍ଡ ଘଟଣାକୁ ନେଇ ସମ୍ଭଲ ପୁଲିସ ଏସ୍‌ପି ଯମୁନା ପ୍ରସାଦଙ୍କ କହିବାନୁସାରେ, ମନରେଗା ଅଧୀନରେ ରାସ୍ତା କାମ ଚାଲିଥିଲା। ଏହି କାମକୁ ନେଇ କିଛିଲୋକଙ୍କର  ଛୋଟେଲାଲ ଦିବାକରଙ୍କ ସହିତ ବିବାଦ ଆରମ୍ଭ ହୋଇଥିଲା। ଏହି ବିବାଦ ଭୟଙ୍କର ରୂପ ନେଇ ହତ୍ୟାକାଣ୍ଡରେ ପରିଣତ ହୋଇଥିଲା।  ବାପ-ପୁଅ ଦୁହିଁଙ୍କୁ ଗୁଳିମାରି ହତ୍ୟା କରିବା ଦୃଶ୍ୟର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି  । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମାମଲାର ଅଧିକ ତଥ୍ୟ ପାଇଁ ତଦନ୍ତ ଆରମ୍ଭ କରି ଦେଇଛି। ଘଟଣାସ୍ଥଳରୁ ଦୁଇଟି ମୃତଦେହକୁ ଜବତ କରି ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି।

ମୃତକଙ୍କ ପରିବାରର କହିବାନୁସାରେ, ଦିବାକର ଓ ତାଙ୍କ ପୁଅ ଆଜି ଭ୍ରମଣରେ ଯାଇଥିବା ସମୟରେ ଆକ୍ରମଣକାରୀ ହଠାତ ଏକ ବାଇକ୍‌ରେ ଆସି ଦୁହିଁଙ୍କ ଉପରକୁ ଗୁଳିବର୍ଷା କରିଥିଲା। ଏହି ଗୁଳିକାଣ୍ଡ ଘଟିବା ପରେ ଆକ୍ରମଣକାରୀ ଘଟଣାସ୍ଥଳ ଛାଡ଼ି ଚାଲି ଯାଇଥିଲା। ଡର୍ବଲ ମର୍ଡର ଖବର ପ୍ରଘଟ ହେବା ପରେ ଅନେକ ସଂଖ୍ୟାରେ ସମାଜବାଦୀ ପାର୍ଟିର କର୍ମକର୍ତ୍ତା ଗ୍ରାମରେ ପହଞ୍ଚି ଯାଇଥିଲେ।

ସମ୍ବନ୍ଧିତ ଖବର