ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି (ସପା) ନେତା ଆଜମ ଖାନଙ୍କୁ ବୁଧବାର ୨୦୧୯ରେ ହୋଇଥିବା ଏକ ଘୃଣ୍ୟ ଭାଷଣ ମାମଲାରେ ଦୋଷମୁକ୍ତ କରାଯାଇଛି। ୨୦୧୯ ଲୋକସଭା ନିର୍ବାଚନ ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଗତବର୍ଷ ଅକ୍ଟୋବରରେ ତାଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏବଂ ପରବର୍ତ୍ତୀ ସମୟରେ ବିଧାନସଭାରେ ତାଙ୍କର ସଦସ୍ୟ ପଦ ରଦ୍ଦ ହୋଇ ଯାଇଥିଲା।

Advertisment

ଉଲ୍ଲେଖଯୋଗ୍ୟ, ଘୃଣ୍ୟ ଭାଷଣ ମାମଲାରେ ରାମପୁର ଅଦାଲତ ତାଙ୍କୁ ୩ ବର୍ଷ ପାଇଁ ଜେଲ୍‌ ଦଣ୍ଡାଦେଶ ଦେବା ସହ ୟୁପି ବିଧାନସଭାରୁ ଅଯୋଗ୍ୟ ଘୋଷଣା କରିଥିଲେ। ରାମପୁରର ମିଲକ ଥାନାରେ ଏହି ମାମଲା ରୁଜୁ ହୋଇଥିଲା। ତାଙ୍କୁ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି)ର ଧାରା ୧୫୩ଏ (ଦୁଇ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା), ୫୦୫ (ସାର୍ବଜନୀନ ଦୁଷ୍କର୍ମ ପାଇଁ ବୟାନ) ଏବଂ ଜନପ୍ରତିନିଧି ଆଇନ ୧୯୫୧ର ଧାରା ୧୨୫ ଅନୁଯାୟୀ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

ଏହାପରେ ଆଜମ ଖାନ ରାମପୁର କୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ସାଂସଦ/ବିଧାୟକ ଅଦାଲତରେ ଆବେଦନ କରିଥିଲେ। ଆବେଦନର ଶୁଣାଣି କରି କୋର୍ଟ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗରୁ ତାଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି।

ଆଜମ ଖାନ୍‌ଙ୍କ ବିରୋଧରେ ବିଭିନ୍ନ ଅଭିଯୋଗରେ ୮୭ଟି ମାମଲା ରହିଛି, ଯାହା ୨୦୧୭ରେ ଉତ୍ତରପ୍ରଦେଶରେ ବିଜେପି କ୍ଷମତାକୁ ଆସିବା ପରେ ଦାୟର କରାଯାଇଛି।