ଭାଉଜ ତୁମେ ହାରିଗଲ, ଆମେ ଲଣ୍ଡା ହେବୁ : ଡିମ୍ପଲଙ୍କ ପରାଜୟରେ ସମର୍ଥକ ଦୁଃଖୀ

କନୌଜ: ଭାଉଜଙ୍କ ପାଇଁ ଏବେ ଢେର ଦୁଃଖ।  ନିର୍ବାଚନରେ ଭାଉଜ ହାରିଯିବାପରେ ଏବେ ଲଣ୍ଡା ହେବାରେ ଲାଗିଛନ୍ତି ଜଣେ ପରେ ଜଣେ ସମର୍ଥକ | ଆମେ କହୁଛୁ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କ କଥା। ଡିମ୍ପଲ ତାଙ୍କ ସମର୍ଥକଙ୍କ ମଧ୍ୟରେ ‘ଭାଉଜ’ ବା ‘ଭାବିଜୀ’ ଭାବେ ବେଶ ଜଣାଶୁଣା | ସେ କନୌଜ ଲୋକସଭା ନିର୍ବାଚନରେ ହାରିବା ପରେ ଏହାକୁ ସହ୍ୟ କରିପାରୁନାହାନ୍ତି ତାଙ୍କ ସମର୍ଥକ | ନିଜ ପ୍ରିୟ ଭାଉଜଙ୍କ ହାରକୁ ସେମାନେ ନିଜ ଉପରେ ଶୁଝାଉଛନ୍ତି | ହାରିବା ଦୁଃଖରେ ଲଣ୍ଡା ହୋଇ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି | କନୌଜରେ ସୁବ୍ରତ ପାଠକଙ୍କ ସହ ତାଙ୍କର ମୁକାବିଲା ହୋଇଥିଲା |

ତେବେ ଶେଷ ମୁହୂର୍ତ୍ତରେ ସୁବ୍ରତ ଡିମ୍ପଲଙ୍କୁ ମାତ ଦେଇଦେଇଥିଲେ | ଚର୍ଚ୍ଚା ହେଉଛି ସମର୍ଥକଙ୍କୁ ଭାଉଜଙ୍କ ହାର ଯେତିକି ବାଧିନି ସପା ଓ ବସପାର ଗଠବନ୍ଧନ ସେମାନଙ୍କୁ ବହୁତ କଷ୍ଟ ଦେଇଛି | ନିର୍ବାଚନ ପୂର୍ବରୁ ତାଙ୍କ ଭାଉଜଙ୍କୁ ଜିତାଇବା ପାଇଁ ଦିନ ରାତି ପରିଶ୍ରମ କରିଥିଲେ | ତେବେ ଫଳାଫଳ ଆସିବା ପରେ ଏହା ସମର୍ଥକଙ୍କୁ ନିରାଶ କରିଦେଇଥିଲା | ସପା ନେତା ଦଲାଗଂଜନ ସିଂ ଯାଦବ, ଦୀପକ ଯାଦବ ଓ ରାଜେଶ ସିଂ ଚୌହାନଙ୍କ ଭଳି ସମର୍ଥକ ଲଣ୍ଡା ହୋଇଛନ୍ତି | ସମର୍ଥକଙ୍କ କହିବା କଥା ଡିମ୍ପଲ ଭାଉଜ ହାରିନାହାନ୍ତି, ଆମେ ସବୁ ହାରିଯାଇଛୁ | ଏ ଦୁଃଖ ସହିହେଉନି,ସେଥିପାଇଁ ଆମେ ଲଣ୍ଡା ହୋଇଯାଇଛୁ |

ସମ୍ବନ୍ଧିତ ଖବର