ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ସାମନ୍ଥା ରୁଥ୍ ପ୍ରଭୁ ଏବେ ନିଜର ଆଗାମୀ ଫିଲ୍ମ ‘ଶକୁନ୍ତଲମ୍’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଶକୁନ୍ତଳା ଓ ରାଜା ଦୁଷ୍ୟନ୍ତଙ୍କ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ସାମନ୍ଥା ଶକୁନ୍ତଳାଙ୍କ ଭୂମିକାରେ ଦେଖାଦେବେ। ଦେବ ମୋହନ ଦୁଷ୍ୟନ୍ତଙ୍କ ଭୂମିକାରେ ଅବତୀର୍ଣ୍ଣ ହେବେ ବୋଲି ଜଣାପଡ଼ିଛି।

Advertisment

କୁହାଯାଉଛି ଯେ ଶକୁନ୍ତଳା ଚରିତ୍ରକୁ ଜୀବିତ କରିବା ପାଇଁ ଫିଲ୍ମ ନିର୍ମାତା ଯଥେଷ୍ଟ ଚେଷ୍ଟା କରିଛନ୍ତି। ସାମନ୍ଥାଙ୍କ ପୋଷାକ ପରିଧାନ ସହିତ ସେ ପିନ୍ଧିଥିବା ଗହଣା ଉପରେ ଅଧିକ ଗୁରୁତ୍ବା‌ରୋପ କରାଯାଇଛି। ଜଣାଶୁଣା ଫ୍ୟାଶନ୍ ଡିଜାଇନର୍ ନୀତା ଲୁଲ୍ଲା, ସାମନ୍ଥ‌ାଙ୍କ ପୋଷାକ ସହ ସେ ପିନ୍ଧିଥିବା ଗହଣା ଡିଜାଇନ କରିଛନ୍ତି। ସିଆସତ୍ ଡେଲି ଅନୁଯାୟୀ ସାମନ୍ଥା ଫିଲ୍ମରେ ସୁନା ଓ ହୀରାର ଗହଣା ପିନ୍ଧିଛନ୍ତି, ଯାହାର ମୂଲ୍ୟ ପ୍ରାୟ ୧୪କୋଟି ହେବ।

୨୦୨୧ ଶେଷ ଆଡ଼କୁ ବିବାହ ବିଚ୍ଛେଦ ହେବା ପରେ ଗତ ବର୍ଷ ସେ ଏକ ବିରଳ ରୋଗର ଶିକାର ହୋଇଥିଲେ। ରୋଗ କାରଣରୁ ସେ ସାମାଜିକ ଗଣମାଧ୍ୟମରେ ହଠାତ୍ ନିଷ୍କ୍ରିୟ ହୋଇଯିବା ଆମେ ଦେଖିଥିଲୁ। ପରେ ସେ ଘୋଷଣା କରିଥିଲେ ଯେ ତାଙ୍କୁ ଡେର୍ମାଟୋମାୟୋସାଇଟିସ୍ ନାମକ ରୋଗ ହୋଇଛି। ଅସୁସ୍ଥତା କାରଣରୁ ସେ ପୂର୍ବ ଚଳଚ୍ଚିତ୍ର ‘ଯଶୋଦା’ର ପ୍ରଚାର କରିପାରିନଥିଲେ। ଏବେ କିନ୍ତୁ ସାମନ୍ଥା ସଂପୂର୍ଣ୍ଣ ଆରୋଗ୍ୟଲାଭ କରି ୨୦୨୩ ମସିହାକୁ ଏକ ସଫଳ ବର୍ଷରେ ପରିଣତ କରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତେବେ ‘ଶକୁନ୍ତଲମ୍’ ହିନ୍ଦୀ ସମେତ ତାମିଲ, ମାଲୟାଲମ ଓ କନ୍ନଡ଼ ଭାଷାରେ ରିଲିଜ୍‌ ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ସାମନ୍ଥା ତାଙ୍କର ପ୍ରଥମ ଇଂରେଜୀ ଚଳଚ୍ଚିତ୍ର ‘ଆରେଞ୍ଜମେଣ୍ଟ୍‌ସ ଅଫ୍‌ ଲଭ୍’ର ସୁଟିଂ ଆରମ୍ଭ କରିବେ। ଏହା ସାଙ୍ଗକୁ ତାଙ୍କ ହାତରେ ଅଛି ତେଲୁଗୁ ଚଳଚ୍ଚିତ୍ର ‘କୁସି’ ସହିତ ‘ସିଟାଡେଲ୍’ ନାମକ ବହୁପ୍ରତୀକ୍ଷିତ ଧାରାବାହିକ।