ଅନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀରେ ‘ସମ୍ବାଦ’ ସମ୍ମାନିତ

ନୂଆଦିଲ୍ଲୀ : ଓଡ଼ିଆ ଭାଷା, ସଂସ୍କୃତି ଓ ସାହିତ୍ୟକୁ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରିବା ଉଦ୍ଦେଶ୍ୟ ନେଇ ନୂଆଦିଲ୍ଲୀସ୍ଥିତ ପ୍ରବାସୀ ଓଡ଼ିଆ ବୁଦ୍ଧିଜୀବୀ ମଞ୍ଚ ଦି ଇଣ୍ଟେଲେକ୍ଟସ ପକ୍ଷରୁ ଦୁଇଦିନିଆ ପଞ୍ଚମ ଅନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀ ‘ଆମରି ଭାଷା ପଥେ’ ଦିଲ୍ଲୀର କନ୍‌ଷ୍ଟିଚ୍ୟୁସନ କ୍ଲବ୍‌ରେ ଆରମ୍ଭ ହୋଇଛି। ଭାଷାବିତ୍‌, ଶାସ୍ତ୍ରୀୟ ଭାଷା ବିଷାରଦ ଏବଂ ଆଞ୍ଚଳିକ ଭାଷା ବିଜ୍ଞାନୀମାନେ ଏହି ମାତୃଭାଷା ମହାକୁମ୍ଭରେ ଅଂଶଗ୍ରହଣ କରି ମାତୃଭାଷାର ଆବଶ୍ୟକତା, ସମସ୍ୟା, ପରିସୀମା ଓ ପ୍ରଗତି ବାବ‌ଦରେ ଆଲୋଚନା କରିଛନ୍ତି।

ଏହି ଅବସରରେ ୨୦୧୯ ମସିହା ପାଇଁ ଓଡ଼ିଆ ଭାଷାକୁ ବିଶେଷ ଅବଦାନ ପାଇଁ ଡ. ପ୍ରତିଭା ରାୟଙ୍କୁ ଆମ ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା। ଶିଶୁ ସାହିତ୍ୟ ପାଇଁ ଦାଶ ବେନହୁର, ଭାଷାବିତ ପଞ୍ଚାନନ ମହାନ୍ତି, ପାଣ୍ଡୁଲିପି ବିଶାରଦ ଦୁଃଖିଶ୍ୟାମ ପଟ୍ଟନାୟକ. ଓଡ଼ିଶୀ ନୃତ୍ୟପାଇଁ ସୋରେନ୍‌ ଲୟେନ୍‌, ଓଡ଼ିଶା ସଙ୍ଗୀତ ପାଇଁ ସୁସ୍ମିତା ଦାଶ, ଗବେଷଣା ଓ ପାଠ୍ୟକ୍ରମ ପାଇଁ ଅନ୍ତର୍ଯ୍ୟାମୀ ମିଶ୍ର, ଶିକ୍ଷା ଓ କବିତା ପାଇଁ ଡ.ବିଜୟଲକ୍ଷ୍ମୀ ନାୟକ, କମ୍ପୁଟରୀକରଣ ପାଇଁ ସୁଧୀର ପଟେଲ, ସାମ୍ବାଦିକତା ପାଇଁ ଦେବେନ୍ଦ୍ର ପୃ‌ଷ୍ଟି, ଅନୁବାଦ ପାଇଁ ଭାଗୀରଥି ନନ୍ଦ ପ୍ରମୁଖଙ୍କୁ ଓଡ଼ିଆ ଭାଷା ପ୍ରତି ଅବଦ‌ାନ ପାଇଁ ‘ପ୍ରବାସୀ ଭାଷା ସମ୍ମାନ’ ପ୍ରଦାନ କରାଯାଇଥିଲା। ରଂଜନ କୁମାର ପ୍ରଧାନ, ଅକ୍ଷୟ ଓଝା, ଅତାଶୀ ମିଶ୍ରଙ୍କୁ ଯୁବ ପ୍ରେରଣା ସମ୍ମାନ ୨୦୧୯ରେ ପ୍ରଦାନକରାଯାଇଥିଲା।

ଓଡ଼ିଆ ଭାଷାକୁ ଲୋକପ୍ରିୟ କରିବା ଦିଗରେ ପ୍ରଶଂସନୀୟ ପ୍ରୟାସ ପାଇଁ ‘ସମ୍ବାଦ’କୁ ସମ୍ମାନିତ କରାଯାଇଥିଲା। ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ‘ସମ୍ବାଦ’ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିବାର ସମ୍ମିଳନୀରେ ମତବ୍ୟକ୍ତ କରାଯାଇଥିଲା। ‘ସମ୍ବାଦ’ ପକ୍ଷରୁ ତଲିନା ପଟ୍ଟନାୟକ ମୁଖ୍ୟ ଅତିଥି ଡ.ପ୍ରତିଭା ରାୟଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। ନାଲ୍‌କୋ, କଳିଙ୍ଗ ଲିଟ୍ରେଚର ‌ଫେଷ୍ଟିଭାଲ, ନିଖିଳ ଉତ୍କଳ ଓଡ଼ିଆ ଅନର୍ସ ଛାତ୍ର ସଂଗଠନକୁ ମଧ୍ୟ ସମ୍ମା‌ନିତ କରାଯାଇଥିଲା।

ଏହି ସମ୍ମିଳନୀ‌ର ପ୍ରଥମ ଦିନ ପୁରସ୍କାର ବିତରଣ ଉତ୍ସବରେ ହରିଜନ ସେବକ ସଂଘର ସଭାପତି ଡ.ଶଙ୍କର କୁମାର ସନ୍ୟାଲ, ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଡ.ଭଗବାନ ପ୍ରକାଶ, ପ୍ରଖ୍ୟାତ ଲେଖିକା ପ୍ରତିଭା ରାୟ, ଡିଜି ଡିଆର୍‌ଆଇ ଦେବୀ ପ୍ରସାଦ ଦାଶ, ଜେଏନ୍‌ୟୁ ଓଡ଼ିଆ ବିଭାଗ ପ୍ରଫେସର ଉଦୟନାଥ ସାହୁ ଓ ଦି ଇଣ୍ଟେଲେକ୍ସର ଅଧ୍ୟକ୍ଷ ଦେବେନ୍ଦ୍ରନାଥ ରାଉତ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର