ସମ୍ବଲପୁରୀ- କୋଶଳୀ ଭାଷାକୁ ଜାତୀୟସ୍ତରରେ ଭାଷା ମାନ୍ୟତା ଦେବାକୁ ହଳଧର ନାଗଙ୍କ ଦାବି

ନୂଆଦିଲ୍ଲୀ : ସମ୍ବଲପୁରୀ-କୋଶଳୀ ଭାଷାକୁ ଜାତୀୟସ୍ତରରେ ଭାଷା ମାନ୍ୟତା ଦେବାକୁ ନେଇ ଆଜି ବିଶିଷ୍ଟ ଲୋକକବି ପଦ୍ମଶ୍ରୀ ହଳଧର ନାଗ କେନ୍ଦ୍ର ସରକାରଙ୍କ ନକଟରେ ଦାବି କରିଛନ୍ତି। ଆଜି କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ବାରା ଆୟୋଜିତ ଅଖିଳ ଭାରତୀୟ ଆଦିବାସୀ ଲେଖକ ଉତ୍ସବରେ ମୁଖ୍ୟଅତିଥି ରୂପେ ଯୋଗଦେଇ ହଳଧର ନାଗ ସମ୍ବଲପୁରୀ କୋଶଳୀ ଭାଷାରେ ଭାଷଣ ଦେବା ସହିତ ଏହି ଭାଷା ସମ୍ପର୍କିତ ସଂସ୍କୃତି ଉପରେ ଏକ କବିତା ମଧ୍ୟ ପାଠ କରିଥିଲେ। ସେ କହିଥିଲେ, ଧୀରେ ଧୀରେ ଏହି ଭାଷା ଆଦୃତ ଓ ପ୍ରଶଂସିତ ହେଉଥିବା ବେଳେ ଏହି ଭାଷାକୁ ଜାତୀୟ ସ୍ତରରେ ପ୍ରାଧାନ୍ୟ ଦେବା ସହିତ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ କରିବା ପାଇଁ ସେ କହିଥିଲେ। କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ବାରା ଆୟୋଜିତ ଅଖିଳ ଭାରତୀୟ ଆଦିବାସୀ ଲେଖକ ଉତ୍ସବରେ ଉଦଘାଟନୀ ଅଭିଭାଷଣରେ ପ୍ରଖ୍ୟାତ କବି ସୀତାକାନ୍ତ ମହାପାତ୍ର ଦେଶର ବିଭିନ୍ନ ଭାଷାର ସ୍ଥିତି ଉପରେ ଆଲୋକପାତ କରିଥିଲେ। ଏହି ଦୁଇ ଦିନିଆ ଉତ୍ସବରେ ଓଡ଼ିଶାରୁ ୧୦ରୁ ଅଧିକ ଆଦିବାସୀ ଲେଖକ ଓ କବି ଯୋଗଦେଇଛନ୍ତି।

ସମ୍ବନ୍ଧିତ ଖବର