ସମ୍ଭଲ: ଉତ୍ତରପ୍ରଦେଶର ସମ୍ଭଲରେ ମୁଗଲ ଯୁଗର ଏକ ଜାମା ମସଜିଦ୍ ସର୍ଭେ ପାଇଁ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ନିଆଯାଇଥିବା ପଦକ୍ଷେପକୁ ବିରୋଧ କରି ବ୍ୟାପକ ହିଂସା ହୋଇଛି। ଏହି ହିଂସାକାଣ୍ଡରେ ଏବେ ସୁଦ୍ଧା ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ପୁଲିସ୍ଙ୍କ ସମେତ ଅନେକ ଆହତ ହୋଇଛନ୍ତି।
ଏହି ହିଂସାକାଣ୍ଡ ପାଇଁ ସମ୍ଭଲ ସାଂସଦ ତଥା ସମାଜବାଦୀ ପାର୍ଟି ନେତା ଜିଆଉର ରହମାନ ବରକ ଏବଂ ସ୍ଥାନୀୟ ବିଧାୟକ ଇକବାଲ ମେହମୁଦଙ୍କ ପୁଅ ସୋହେଲ ଇକବାଲଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଯିଏକି ଅଖିଳେଶ ଯାଦବଙ୍କ ଦଳର। ଅଧିକାରୀ କହିଛନ୍ତି ଯେ ଦୁହିଁଙ୍କ ବିରୋଧରେ ହିଂସା ଉପୁଜାଇବା, ଭିଡ଼ ଜମାଇବା ଏବଂ ଅଶାନ୍ତି ସୃଷ୍ଟି କରିବା ଅଭିଯୋଗ ହୋଇଛି।
ଏହି ହିଂସାକାଣ୍ଡ କାରଣରୁ ସ୍ଥାନୀୟ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସ୍କୁଲ୍ ଓ କଲେଜକୁ ଛୁଟି ଘୋଷଣା କରିଛନ୍ତି। ସଂପୃକ୍ତ ଅଞ୍ଚଳରେ ଇଣ୍ଟରନେଟ୍ ସେବାକୁ ବି ବନ୍ଦ ଘୋଷଣା କରିଛନ୍ତି।
ଏହି ମସଜିଦ ଏକ ହିନ୍ଦୁ ମନ୍ଦିର ସ୍ଥଳରେ ନିର୍ମିତ ହୋଇଥିବା ଦାବିକୁ ନେଇ ବିବାଦ ଲାଗି ରହିଥିବା ବେଳେ ଆଇନଗତ ଲଢ଼େଇ ଏବେ ଭିନ୍ନ ମୋଡ଼ ନେଇଛି। ଜଣେ ଆଡଭୋକେଟ କମିସନରଙ୍କ ନେତୃତ୍ୱରେ ଗତକାଲି ସର୍ଭେ ଟିମ୍ କାମ ଆରମ୍ଭ କରିବା ବେଳେ ମସଜିଦ୍ ନିକଟରେ ଭିଡ଼ ଜମିବାରୁ ଉତ୍ତେଜନା ବଢ଼ିଥିଲା ଏବଂ ପରବର୍ତ୍ତୀ ସମୟରେ ଏହା ଭୀଷଣ ହିଂସାର ରୂପ ନେଇଥିଲା। ପୁଲିସକୁ ମସଜିଦ ଭିତରକୁ ପ୍ରବେଶ କରିବାରୁ ରୋକିବାକୁ ପ୍ରାୟ ହଜାରେ ଲୋକଙ୍କ ଭିଡ଼ ଜମିଥିବା ବେଳେ ସେମାନେ ପୁଲିସ କର୍ମଚାରୀଙ୍କ ଉପରକୁ ପ୍ରବଳ ପଥର ମାଡ଼ କରିଥିଲେ। ଏହା ସହ ଉତ୍ତ୍ୟକ୍ତ ଲୋକେ ୧୦ରୁ ଅଧିକ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ।