ସରକାର ’କଳାପାହାଡ଼’ ମାନସିକତା ତ୍ୟାଗ କରନ୍ତୁ , ଭବିଷ୍ୟତ କ୍ଷମା ଦେବନି : ସମ୍ବିତ ପାତ୍ର
ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ଏଏସଆଇର ସତ୍ୟପାଠ ପରେ ଟ୍ୱିଟ କରି ରାଜ୍ୟ ସରକାରଙ୍କ ଉପରେ ଭୀଷଣ ବର୍ଷିଛନ୍ତି। ସେ ଏକ ଟ୍ବିଟ୍ କରି ଲେଖିଛନ୍ତି ଯେ ‘ଓଡ଼ିଶା ରାଜ୍ୟ ସରକାରଙ୍କୁ ମୁଁ ଏକ ଅଣରାଜନୈତିକ ପରାମର୍ଶ ଦେବାକୁ ଚାହିଁବି। ସେ ତାଙ୍କର ଅହଂକାର ଓ ‘କଳାପାହାଡ଼’ ମାନସିକତାକୁ ପରିତ୍ୟାଗ କରନ୍ତୁ। ସେ କରୁଥିବା ଭୁଲ୍କୁ ହୃଦୟଙ୍ଗମ କରନ୍ତୁ। ଆମର ମହାନ ଐତିହ୍ୟର ପ୍ରତ୍ନତାତ୍ତ୍ବିକ ଅବଶିଷ୍ଟାଂଶକୁ ଓଡ଼ିଶା ସରକାର ଯଦି ନଷ୍ଟ କରିଦିଅନ୍ତି ତେବେ ଭବିଷ୍ୟତ ତାଙ୍କୁ କେବେ କ୍ଷମା କରିବ ନାହିଁ।’
My Non Political Suggestion to the Odisha Government is to give up it’s ARROGANCE & “Kala-Pahadiya” mentality & accept the fact that they have erred.
The future wouldn’t forgive the Odisha Govt for having possibly destroyed the Archeological Remains of Our Greatest Heritage! https://t.co/iw8kkwqdNd— Sambit Patra (@sambitswaraj) May 9, 2022
ପ୍ରକଳ୍ପ କାମ କିମ୍ବା ସୌନ୍ଦର୍ଯ୍ୟକରଣ ପାଇଁ ସରକାର ଆଇନ୍ର ପରିଧି ଭିତରେ ରହି କାମ କରିବା ଆବଶ୍ୟକ। ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଡିପିଆର୍ ଦାଖଲ କରାଯାଇଛି। ଏଏସଆଇ ରିପୋର୍ଟରେ ଖନନ ସ୍ଥାନରେ ଐତିହ୍ୟ କୀର୍ତ୍ତିରାଜି ନଷ୍ଟ ହୋଇଥିବା ଆଶଙ୍କା କରାଯାଇଛି ମଧ୍ୟ। ଯାହାକି ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏକ ଦୁଃଖର କଥା ଓ ହାଇକୋର୍ଟ ମଧ୍ୟ ଏହାକୁ ଉପଲବ୍ଧି କରିଥିବା ସମ୍ବିତ କହିଛନ୍ତି।
ଅନ୍ୟପକ୍ଷରେ ସମ୍ବିତ ପାତ୍ରଙ୍କ ଅଭିଯୋଗକୁ ଅବାନ୍ତର ବୋଲି କହିଛି ବିଜୁ ଜନତା ଦଳ। ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ଏ ନେଇ ନିଜର ପ୍ରତିକ୍ରିୟା ରଖି କହିଛନ୍ତି, ‘କୋର୍ଟର ଅର୍ଡର ମୁଁ ଏଯାଏଁ ଦେଖିନାହିଁ । ରାଜ୍ୟ ସରକାର ମଧ୍ୟ ସେ ବିଷୟ ସ୍ପଷ୍ଟୀକରଣ ଦେଇ ସାରିଛନ୍ତି । ତେଣୁ ମୁଁ ଏ ବିଷୟରେ ମନ୍ତବ୍ୟ ଦେବା ଠିକ୍ ହେବ ନାହିଁ । ସରକାର କୌଣସି ସେଭଳି ମନବୃତ୍ତିରେ ନାହାନ୍ତି । ଶ୍ରୀ ଜଗନ୍ନାଥ କ୍ଷେତ୍ର ଏବଂ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀଗୁଡ଼ିକର ଯେମିତି ଧ୍ୟାନ ଦିଆଯିବା କଥା ଧ୍ୟାନ ଦିଆଯାଉନାହିଁ । ତେଣୁ ସେଗୁଡ଼ିକର ପାରିପାର୍ଶିକ ଉନ୍ନୟନ କିଭଳି ହୋଇପାରିବ ସେଥିପାଇଁ ସରକାର ଚେଷ୍ଟିତ। ଆମର ଜୀବନ ଜୀବିକାର ସମୃଦ୍ଧି କିଭଳି ହୋଇପାରିବ ଏବଂ ସେହି ସ୍ଥାନଗୁଡ଼ିକର ମହତ୍ତ୍ୱ ପ୍ରତିପାଦିତ ହେବ ସେଥିପାଇଁ ସରକାର ସବୁବେଳେ ଉଦ୍ୟମରତ।’