ଲକ୍ଷ୍ନୌ: ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ସୋମବାର ଦିନ ସାମ୍ବାଦିକ ସମ୍ମିଳନୀ ଡକାଇ ଅଖିଳେଶ ଯାଦବଙ୍କ ବିରୋଧରେ ପ୍ରବଳ ବର୍ଷିଛନ୍ତି । ସମ୍ବିତ ପାତ୍ର କହିଛନ୍ତି, ପୂରା ଦେଶ ଉତ୍ତରପ୍ରଦେଶର ସ୍ଥାପନା ଦିବସ ପାଳନ କରୁଥିବା ବେଳେ ଅଖିଳେଶ ଯାଦବ ଏକ ସାକ୍ଷାତକାରରେ କହିଛନ୍ତି ପାକିସ୍ତାନ ଭାରତର ଶତ୍ରୁ ନୁହେଁ। ଏହା ଲଜ୍ଜାଜନକ ଅଟେ।
ପାକିସ୍ତାନ ଭାରତର ଶତ୍ରୁ ନୁହେଁ ବୋଲି ଅଖିଳେଶ କହିବାରୁ, ଏହାର ଉତ୍ତରରେ ସମ୍ବିତ ପାତ୍ର କହିଛନ୍ତି, ମହମ୍ମଦ ଅଲ୍ଲି ଜିନ୍ନାଙ୍କୁ ଯିଏ ପ୍ରେମ କରେ ସେ ପାକିସ୍ତାନକୁ ପ୍ରେମ କରେ ନାହିଁ ବୋଲି କେମିତି କହି ପାରିବ । ଅଖିଳେଶ ଯାଦବଙ୍କୁ ତାଙ୍କର ଏହି ବୟାନ ପାଇଁ କ୍ଷମା ମାଗିବା ଉଚିତ । ବିଜେପି ପାକିସ୍ତାନକୁ ଶତ୍ରୁ ବୋଲି ଭାବେ । ଯଦି ୟାକୁବ୍ ମେନନକୁ ଫାଶୀ ହୋଇ ନଥାନ୍ତା ତେବେ ସେ ନିର୍ବାଚନ ପାଇଁ ସମାଜବାଦୀ ପାର୍ଟିର ପ୍ରାର୍ଥୀ ହୋଇଥାଆନ୍ତା । ଯଦି କସାବକୁ ଫାଶୀ ହୋଇ ନଥାନ୍ତା ତେବେ ସେ ସମାଜବାଦୀ ପାର୍ଟିର ତାରକା ପ୍ରଚାରକ ହୋଇଥାନ୍ତା । ସମ୍ବିତ ପାତ୍ର ପୁଣି କହିଛନ୍ତି ଅଖିଳେଶ ଜିନ୍ନାଙ୍କ ନାମ ନେଇ ନିର୍ବାଚନକୁ ଓହ୍ଲାଇଥିଲେ ଏବେ ପାକିସ୍ତାନ ପର୍ଯ୍ୟନ୍ତ ପହଞ୍ଚି ଯାଇଛନ୍ତି ।
ଅଖିଳେଶ ଯାଦବଙ୍କୁ ଆହ୍ଵାନ ଦେଇ ସମ୍ବିତ ପାତ୍ର କହିଛନ୍ତି, ସମାଜବାଦୀ ପାର୍ଟି ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିନାହିଁ। ଅଖିଳେଶଙ୍କ ନୈତିକତା ଅଛି ତ ସେ ପ୍ରାର୍ଥୀଙ୍କ ତାଲିକା ଜାରି କରନ୍ତୁ । ଆପଣଙ୍କୁ ବାଛିବାକୁ ହେବ ଗଙ୍ଗା ଏସ୍କପ୍ରେସ ଓ୍ଵେ ନା ଗୁଣ୍ଡା ଏକ୍ସପ୍ରେସ ଓ୍ଵେ । ଏସ୍.ପି. ଗୁଣ୍ଡାମାନଙ୍କୁ ଟିକେଟ୍ ଦେଇଛି । ୟାକୁବ୍ ମେନନ୍ ବଞ୍ଚିଥିଲେ ଅଖିଳେଶ ତାଙ୍କୁ ମଧ୍ୟ ଟିକେଟ ଦେଇଥାଆନ୍ତା।
ସମ୍ବିତ ପାତ୍ର କହିଛନ୍ତି, ଅଖିଳେଶ ଯାଦବ ଜନମତ ସର୍ବେକ୍ଷଣକୁ ନେଇ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଛନ୍ତି । ସେ ଜନମତ ସର୍ବେକ୍ଷଣକୁ ଡରି ଯାଇଛନ୍ତି । ୧୦ ମାର୍ଚ୍ଚରେ ବିଜେପିର ସରକାର ତିଆରି ହେବାକୁ ଯାଉଛି । ଆଜି ଉତ୍ତରପ୍ରଦେଶ ଏକ ବିକାଶ ଆଡକୁ ଗତି କରୁଥିବା ରାଜ୍ୟ ଅଟେ । ୫୦ରୁ ଅଧିକ କେନ୍ଦ୍ରୀୟ ଯୋଜନା ଉତ୍ତରପ୍ରଦେଶର ଚିତ୍ରକୁ ଦର୍ଶାଉଛି ।