ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ନେଇ ସୁପ୍ରିମ୍‌କୋର୍ଟରେ ବୁଧବାର ପଞ୍ଚମଦିନରେ ଶୁଣାଣି ହୋଇଥିଲା। ଆବେଦନକାରୀମାନଙ୍କ ଯୁକ୍ତିର ଶୁଣାଣି ସରିବା ପରେ କେନ୍ଦ୍ର ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ବିବାହ କରିବାର ପରମ ଅଧିକାର ବୋଲି କିଛି ନାହିଁ। କେବଳ ପାର୍ଲାମେଣ୍ଟରେ ଏ ବିଷୟରେ ନିଷ୍ପତ୍ତି ନିଆଯାଇପାରିବ, କୋର୍ଟରେ ନୁହେଁ। ତେଣୁ ଏ ପ୍ରସଙ୍ଗକୁ ପାର୍ଲାମେଣ୍ଟ ଉପରେ ଛାଡ଼ିଦିଆଯାଉ। ମେହେଟ୍ଟା କହିଥିଲେ ଏହା ଏକ ଗୁରୁତର ପ୍ରସଙ୍ଗ, ଯାହାର ସମାଜ ଉପରେ ପ୍ରଭୂତ ପ୍ରଭାବ ରହିଛି। ୧୯୫୬ ପର୍ଯ୍ୟନ୍ତ ଏହା ଅନୁମୋଦିତ କିମ୍ବ ନିଷିଦ୍ଧ ନ ଥିଲା। ଜଷ୍ଟିସ୍ ଭଟ୍ଟ ପଚାରିଥିଲେ ସେତେବେଳେ ବିଶ୍ବର କେଉଁଠି ସମଲିଙ୍ଗୀ ବିବାହ ଆଇନସିଦ୍ଧ ଥିଲା କି? ମେହେଟ୍ଟା କହିଥିଲେ, ଆମ ଜ୍ଞାତସାରରେ ନ ଥିଲା କିନ୍ତୁ ନିଷେଧାଦେଶ ନ ଥିଲା। ଭଟ୍ଟ କହିଥିଲେ ଇଂଲଣ୍ଡରେ ୧୯୭୩ ପର୍ଯ୍ୟନ୍ତ ଏହା ନିଷିଦ୍ଧ ଥିଲା। ଅନ୍ୟ ଦେଶଗୁଡ଼ିକରେ କିପରି ସମଲିଙ୍ଗୀ ବିବାହ ଆଇନସିଦ୍ଧ ହେଲା, ତାହା ଉପରେ ବିଚାରପତିମାନେ ଦୃଷ୍ଟି ପକାଇଥିଲେ। ସଲିସିଟରର ଜେନେରାଲ କହିଥିଲେ, ସ୍ବତନ୍ତ୍ର ବିବାହ ଆଇନରୁ ସଚେତନଭାବେ ସମଲିଙ୍ଗୀ ବିବାହକୁ ବାଦ୍ ଦିଆଯାଇଛି। ଲୋକମାନେ ଧାର୍ମିକ ଆଇନ ଅନୁସାରେ ବିବାହ କରିବାକୁ ସ୍ବତନ୍ତ୍ର ଥିଲେ। ସମଲିଙ୍ଗୀ ପୁରୁଷ ଓ ମହିଳାଙ୍କ ବିଷୟରେ ପାର୍ଲାମେଣ୍ଟ ସଚେତନ ଥିଲା। ପ୍ରବଳ ବିତର୍କ ପରେ ପୁରୁଷ ଓ ମହିଳାଙ୍କ ବିବାହ ବୟସ ନିର୍ଦ୍ଧାରିତ ହୋଇଥିଲା। ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼ କହିଥିଲେ, ସ୍ବତନ୍ତ୍ର ବିବାହ ଆଇନ ଥିଲା ଧର୍ମନିରପେକ୍ଷ। ଭିନ୍ନ ବିଶ୍ବାସୀମାନଙ୍କ ଭିତରେ ବିବାହକୁ ସ୍ବୀକୃତି ଦିଆଯାଇଥିଲା।

Advertisment

ମେହେଟ୍ଟା କହିଥିଲେ, ଦକ୍ଷିଣ ଆଫ୍ରିକା ହେଉଛି ଏକମାତ୍ର ଦେଶ ଯେଉଁଠି ନ୍ୟାୟପାଳିକା ପଦକ୍ଷେପ ନେଇଥିଲା। ୩୪ରୁ ୨୯ଟି ଦେଶରେ ପାର୍ଲାମେଣ୍ଟରେ ଏ ବାବଦରେ ବିଚାରବିମର୍ଶ ହୋଇଥିଲା। ବଲିଭିଆରେ ନ୍ୟାୟପାଳିକା ନିଷ୍ପତ୍ତି ନେଇଥିଲା। ସିଜେଆଇ କହିଥିଲେ, କେତେକ ଦେଶରେ ନ୍ୟାୟପାଳିକା ସରକାରଙ୍କୁ ଆଇନ ପ୍ରଣୟନ ନିମନ୍ତେ ତିନିମାସ ସମୟ ଦେଇଥିଲେ। ତିନିମାସ ଭିତରେ ସରକାର ଆଇନ ନ କଲେ କୋର୍ଟର ରାୟ ହିଁ ଆଇନ ଭାବେ ବିବେଚିତ ହୋଇଥିଲା। ମେହେଟ୍ଟା କହିଥିଲେ, ଲାଟଭିଆରେ ସେପରି ହୋଇଥିଲା।

ସଲିସିଟର ଜେନେରାଲ କହିଥିଲେ, ହଜାର ହଜାର ବର୍ଷ ଧରି ଭାରତରେ ବିଷମଲିଙ୍ଗୀ ବିବାହକୁ ଧାର୍ମିକ ସ୍ବୀକୃତି ମିଳିଛି। ସାମାଜିକ ଗ୍ରହଣୀୟତା ସଂଘୀୟ ସ୍ବୀକୃତି ଉପରେ ନିର୍ଭର କରେ, ଯାହା ପାର୍ଲାମେଣ୍ଟ ଦ୍ବାରା ଆଇନ ପାସ୍ ବିନା ସମ୍ଭବ ନୁହେଁ। ଏହା ଉପରେ କୋର୍ଟ ନିଷ୍ପତ୍ତି ନେଲେ ଅନେକ ପ୍ରତିକୂଳ ପ୍ରଭାବ ପଡ଼ିବ। କାରଣ ଏହା ଉପରେ ଜନସାଧାରଣଙ୍କ ସହମତି ନାହିଁ। ଆମେ ଐତିହାସିକ ପୃଷ୍ଠଭୂମିକୁ ଭୁଲିଯିବା ଉଚିତ ନୁହେଁ, ଯେଉଁଥିରୁ ବିବାହ ଅନୁଷ୍ଠାନ ଆରମ୍ଭ ହୋଇଛି। ମେହେଟ୍ଟା କହିଥିଲେ ଯେ, ବିବାହ କରିବାର ପରମ ଅଧିକାର ବୋଲି କିଛି ନାହିଁ। ଆଇନ କେବଳ ବିବାହ ବୟସ ସ୍ଥିର କରିଛି। ଛାଡ଼ପତ୍ର ଦେବାନେବା ମଧ୍ୟ ଆଇନ ଦ୍ବାରା ସ୍ଥିର ହୋଇଛି।