ନୂଆଦିଲ୍ଲୀ: ବୁଧବାର ସୁପ୍ରିମ୍‌କୋର୍ଟରେ ସମଲିଙ୍ଗୀ ବିବାହ ସମ୍ପର୍କିତ ମାମଲାର ଶୁଣାଣି ନବମ ଦିନରେ ଜାରି ରହିଥିଲା। ପ୍ରଧାନବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ସମ୍ବିଧାନ ବେଞ୍ଚ ମାମଲାର ଶୁଣାଣି କରୁଥିବା ବେଳେ ଏଥିରେ ଥିବା ଅନ୍ୟ ବିଚାରପତିମାନେ ହେଉଛନ୍ତି ଜଷ୍ଟିସ୍ ଏସ୍‌କେ କୌଲ, ଏସ୍‌ଆର୍‌ ଭଟ୍ଟ, ହିମା କୋହଲି ଓ ପିଏସ୍‌ ନରସିଂହ। ଆଜି ଶୁଣାଣିରେ ସିଜେଆଇ କହିଥିଲେ, ଜୈବିକ ସନ୍ତାନ ହେବା ବାଧ୍ୟତାମୂଳକ ନୁହେଁ। ପୋଷ୍ୟ ସନ୍ତାନ ବି ଗ୍ରହଣ କରାଯାଇପାରିବ। ଏହାର ଉତ୍ତରରେ ଏଏସ୍‌ଜି ଐଶ୍ବର୍ଯ୍ୟା ଭଟ୍ଟି କହିଥିଲେ ପିଲାମାନେ ଚାହାନ୍ତି ସ୍ନେହ ଓ ସୁରକ୍ଷା। ମାଆ ସ୍ନେହ ଦେଲାବେଳେ ବାପା ଦେଇଥାନ୍ତି ସୁରକ୍ଷା। ସମଲିଙ୍ଗୀ ବିବାହରେ ଏହା ସମ୍ଭବ ନୁହେଁ। ସମଲିଙ୍ଗୀମାନେ ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେ ସତ କିନ୍ତୁ ପିଲାକୁ ବାପା-ମାଆର ସ୍ନେହ-ସୁରକ୍ଷା ଦେଇପାରିବେ ନାହିଁ। ପିଲା ପାଇଁ ସେହି ଘର ଏକ ଜେଲଖାନାରେ ପରିଣତ ହେବ। ଏକକ ପୁରୁଷ ଓ ଏକକ ମହିଳାଙ୍କର ପୋଷ୍ୟ ଗ୍ରହଣରେ ପ୍ରତିବନ୍ଧକ ଅଛି। ଏକକ ପୁରୁଷ ଏକ ଝିଅକୁ ପୋଷ୍ୟ ଭାବେ ଗ୍ରହଣ କରିପାରିବ ନାହିଁ। ଆମ ଆଇନ ସେମିତି ତିଆରି ହୋଇଛି। ଆମ ଦେଶରେ ୩୦,୦୦ ପଞ୍ଜୀକୃତ ଦମ୍ପତି ଅଛନ୍ତି କିନ୍ତୁ ପୋଷ୍ୟ ଗ୍ରହଣ ପାଇଁ ମାତ୍ର ୧୫୦୦ ପିଲା ଉପଲବ୍ଧ।

Advertisment

ଆଜି ସଲିସଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ ୭ଟି ରାଜ୍ୟରୁ ଏ ବାବଦରେ ପ୍ରତିକ୍ରିୟା ମିଳିସାରିଲାଣି। ସମସ୍ତେ ସମଲିଙ୍ଗୀ ବିବାହ ପ୍ରସ୍ତାବକୁ ବିରୋଧ କରୁଛନ୍ତି। କେତେକେ ଏହା ଉପରେ ଅଧିକ ବିତର୍କ ହେବା ଉଚିତ ବୋଲି ମତ ଦେଇଛନ୍ତି। ମେହେଟ୍ଟା କହିଲେ, ଧରାଯାଉ କୋର୍ଟ ସମଲିଙ୍ଗୀ ବିବାହକୁ ବୈଧ ଘୋଷଣା କଲେ। ତା’ପରେ ଗୋଟିଏ ସମଲିଙ୍ଗୀ ଦମ୍ପତି ବିବାହ ପାଇଁ ପାଦ୍ରୀଙ୍କ ପାଖରେ ପହଞ୍ଚିଲେ। ପାଦ୍ରୀ ଏ ପ୍ରକାର ବିବାହ କରାଇବାକୁ ମନା କରିଦେଲେ, କାରଣ ଏହା ଧର୍ମବିରୋଧୀ। ତା’ହେଲେ ପାଦ୍ରୀ କ’ଣ କୋର୍ଟ ଅବମାନନା ମାମଲାରେ ପଡ଼ିବେ ନାହିଁ? ଏହିପରି ସମାଜରେ ଅନେକ ବିଶୃଙ୍ଖଳା ଦେଖାଯିବ କାରଣ ବିବାହ ଏକ ଧାର୍ମିକ ଅନୁଷ୍ଠାନ ଏବଂ କୌଣସି ଧର୍ମରେ ଏ ପ୍ରକାର ବିବାହ ବ୍ୟବସ୍ଥା ନାହିଁ। ସିଜେଆଇ ଚନ୍ଦ୍ରଚୂଡ଼ ସମଲିଙ୍ଗୀ ବିବାହ ମାମଲାର ଶୁଣାଣିରୁ ଓହରିଯିବାକୁ ନିବେଦନ କରି ଆଇନଜୀବୀ ଆନଷ୍ଟନ ଟମାସ ଏକ ପତ୍ର ଲେଖିଥିଲେ। କିନ୍ତୁ ସମ୍ବିଧାନ ବେଞ୍ଚ ତାଙ୍କର ଏହି ଆବେଦନକୁ ଖାରଜ କରିଦେଇଥିଲେ। ଓଡ଼ିଶାର ବିଜେଡି ଏମ୍‌ପି ତଥା ଆଇନଜୀବୀ ସସ୍ମିତ ପାତ୍ର କହିଥିଲେ, ପାର୍ଲାମେଣ୍ଟ ଏ ବାବଦରେ ନିଷ୍ପତ୍ତି ନେବା ଉଚିତ। ୪୨ଟି ଆଇନ ଏହାଦ୍ବାରା ପ୍ରଭାବିତ ହେବ। ଏଥିରେ ୧୮୨ଟି ସଂଶୋଧନ ଓ ୧୯ଟି ମନ୍ତ୍ରଣାଳୟ ସମ୍ପୃକ୍ତ। କେବଳ ଯୁଗ୍ମ ସଂସଦୀୟ କମିଟି ଏହା ଉପରେ ନିଷ୍ପତ୍ତି ନେଇପାରିବ ବୋଲି ସେ କହିଥିଲେ।