ସମଲିଙ୍ଗୀ ବିବାହ ପ୍ରସଙ୍ଗ ଏକ ନୀତିଗତ ମାମଲା: ରିଜିଜୁ

ବ୍ୟାପକ ଆଲୋଚନାର ଆବଶ୍ୟକତା ରହିଛି

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ନ୍ୟାୟିକ ମାନ୍ୟତା ଦେବାପାଇଁ କେନ୍ଦ୍ର ସରକାର ବିରୋଧ କରିଛନ୍ତି। ସରକାରଙ୍କର ଏହି ନିଷ୍ପତ୍ତିକୁ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ସମର୍ଥନ କରିଛନ୍ତି। ରିଜିଜୁ କହିଛନ୍ତି, ଏହା ସରକାରଙ୍କ ନୀତି ପ୍ରସଙ୍ଗ ପଲିସି ମ୍ୟାଟର ଏବଂ ଏଥିପାଇଁ ବ୍ୟାପକ ଆଲୋଚନାର ଆବଶ୍ୟକତା ରହିଛି। ସରକାର ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରୁନାହାନ୍ତି। ନାଗରିକଙ୍କ ବ୍ୟକ୍ତିଗତ ସ୍ବାଧୀନତାକୁ ସରକାର କେବେ ବି ପରିଚାଳନା କରିନାହାନ୍ତି। କିନ୍ତୁ ଯେତେବେଳେ ବିବାହ ଅନୁଷ୍ଠାନ ପ୍ରସଙ୍ଗ ଉଠୁଛି ‌ସେ ସମୟରେ ଏହା ଏକ ନୀତିଗତ ପ୍ରସଙ୍ଗ ହୋଇଯାଉଛି।

ଏଥିପାଇଁ ଗୁରୁତ୍ବପୂର୍ଣ୍ଣ ଆଲୋଚନାର ଆବଶ୍ୟକତା ରହିଛି। ସୁପ୍ରିମକୋର୍ଟ ଆଜି ସମଲିଙ୍ଗୀ ବିବାହ ମାମଲାର ଶୁଣାଣିକୁ ୫ ଜଣିଆ ସମ୍ବିଧାନ ପୀଠକୁ ପଠାଇ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି ସମଲିଙ୍ଗୀ ବିବାହକୁ ନ୍ୟାୟିକ ମାନ୍ୟତା ଦେବାକୁ ବିରୋଧ କରିଥିଲେ। ଏହା ଭାରତୀୟ ପରମ୍ପରା ବିରୋଧୀ ଏବଂ ଭାରତୀୟ ପରିବାରର ବିଚାରଧାରା ସହ ଏହା ଖାପ ଖାଇବ ନାହିଁ ବୋଲି ସରକାର ସତ୍ୟପାଠରେ କହିଥିଲେ।

ସମ୍ବନ୍ଧିତ ଖବର