ନୂଆଦିଲ୍ଲୀ: ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ପ୍ରସଙ୍ଗରେ ଚୂଡ଼ାନ୍ତ ଯୁକ୍ତି ଉପରେ ଏପ୍ରିଲ ୧୮ ତାରିଖରେ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଶୁଣାଣି କରିବେ। ଏହି ବିଷୟରେ କୌଣସି ନିଷ୍ପତ୍ତି ସମାଜ ଉପରେ ବହୁତ ପ୍ରଭାବ ପକାଇବ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି।
ସୁପ୍ରିମକୋର୍ଟ ୱେବସାଇଟ୍ ଓ ୟୁଟ୍ୟୁବରେ ଏହି ଶୁଣାଣିର ସିଧା ପ୍ରସାରଣ କରାଯିବ।
ଏ ପ୍ରସଙ୍ଗରେ ସୁପ୍ରିମ୍କୋର୍ଟଙ୍କ ଏକ ତିନି ଜଣିଆ ଖଣ୍ଡପୀଠ ଆଜି (ସୋମବାର) କହିଛନ୍ତି, ଏହି ରାୟ ସମାଜ ଉପରେ ବଡ଼ ପ୍ରଭାବ ପକାଇବ। ସମ୍ବିଧାନର ଏ ୧୪୫(୩)କୁ ଦୃଷ୍ଟିରେ ରଖି ଏହି ଅଦାଲତର ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଉଠାଇଥିବା ପ୍ରସଙ୍ଗଗୁଡ଼ିକର ସମାଧାନ କଲେ ଏହା ଉପଯୁକ୍ତ ହେବ ବୋଲି ଆମେ ମତ ରଖିଛୁ। ତେଣୁ ଏହାକୁ ସାମ୍ବିଧାନିକ ଖଣ୍ଡପୀଠରେ ଉପସ୍ଥାପନ କରିବାକୁ ଆମେ ନିର୍ଦ୍ଦେଶ ଦେଉଛୁ ବୋଲି ବିଚାରପତିମାନେ କହିଛନ୍ତି।
ପୂର୍ବରୁ କେନ୍ଦ୍ର ସରକାର ଯୁକ୍ତି ବାଢ଼ିଥିଲେ ଯେ ସମଲିଙ୍ଗୀ ବିବାହ ଏକ ‘ଭାରତୀୟ ପରିବାର ଏକକ’ର ଧାରଣା ସହିତ ସୁସଙ୍ଗତ ନୁହେଁ, ଯେଉଁଥିରେ ସ୍ୱାମୀ, ପତ୍ନୀ ଏବଂ ସନ୍ତାନ ଅଛନ୍ତି। ଭାରତୀୟ ପରିବାର ଜଣେ ଜୈବିକ ପୁରୁଷଙ୍କୁ ‘ସ୍ୱାମୀ’, ଜଣେ ଜୈବିକ ମହିଳାଙ୍କୁ ‘ପତ୍ନୀ’ ଭାବରେ ଗ୍ରହଣ କରେ। ଏହି ଦୁଇ ଜଣଙ୍କ ମଧ୍ୟରେ ମିଳନରୁ ଜନ୍ମ ହୋଇଥିବା ସନ୍ତାନକୁ ଜୈବିକ ପୁରୁଷ ପିତା ଏବଂ ଜୈବିକ ମହିଳା ମାତା ଲାଳନ ପାଳନ କରିଥାଆନ୍ତି।
ସରକାର କହିଛନ୍ତି ଯେ ଭାରତୀୟ ଦଣ୍ଡବିଧି ସଂହିତାର ଧାରା ୩୭୭କୁ ଅପରାଧମୁକ୍ତ କରିବା ସତ୍ତ୍ୱେ ଆବେଦନକାରୀମାନେ ସମଲିଙ୍ଗୀ ବିବାହକୁ ଦେଶର ଆଇନ ଅନୁଯାୟୀ ସ୍ୱୀକୃତି ଦେବା ପାଇଁ ମୌଳିକ ଅଧିକାର ଭାବେ ଦାବି କରିପାରିବେ ନାହିଁ।
ସାଥୀ ଭାବରେ ଏକାଠି ରହିବା ଏବଂ ସମଲିଙ୍ଗୀ ବ୍ୟକ୍ତିଙ୍କ ଦ୍ୱାରା ଯୌନ ସମ୍ପର୍କ ରଖିବା (ଯାହା ବର୍ତ୍ତମାନ ଅପରାଧମୁକ୍ତ ହୋଇଛି) ଭାରତୀୟ ପରିବାର ଏକକ ଧାରଣା ସହିତ ତୁଳନୀୟ ନୁହେଁ ବୋଲି କେନ୍ଦ୍ର କହିଛି ଏବଂ ଏଲଜିବିଟିକ୍ୟୁ+ ଦମ୍ପତିଙ୍କ ଦ୍ୱାରା ଆଗତ ସାମ୍ପ୍ରତିକ ଆଇନଗତ ଢାଞ୍ଚାପ୍ରତି ଚ୍ୟାଲେଞ୍ଜକୁ ପ୍ରତ୍ୟାଖ୍ୟାନ କରିବାକୁ ଅଦାଲତଙ୍କୁ ଅନୁରୋଧ କରିଛି।
ଗତ କିଛି ମାସ ମଧ୍ୟରେ ଅତି କମରେ ୪ ଜଣ ସମଲିଙ୍ଗୀ ଦମ୍ପତି ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବା ପାଇଁ ଅଦାଲତଙ୍କୁ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/same-sex-marriage.webp)