ନୌସେନାରୁ ଭିଆଇପି ସଂସ୍କୃତି ଉଠାଇବାକୁ ନୂଆ ନୌସେନା ମୁଖ୍ୟଙ୍କ କଡା ନିର୍ଦ୍ଦେଶ, ଅଫିସର ଓ ସାଧାରଣ କର୍ମଚାରୀଙ୍କ ପାଇଁ ସମାନ ଖାଦ୍ୟ

ନୂଆଦିଲ୍ଲୀ : ଦେଶର ନୌସେନା ମୁଖ୍ୟ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଆଡମିରାଲ କରମବୀର ସିଂ ପ୍ରମାଣ କରିଦେଇଛନ୍ତି ଯେ ସେ ଅନ୍ୟ ନୌସେନା ମୁଖ୍ୟଙ୍କଠାରୁ ଟିକିଏ ଅଲଗା । ଦାୟିତ୍ୱ ଗ୍ରହଣ କରିବା ପରେ ସେ ନୌସେନାର ନିତିଦିନିଆ କାର୍ଯ୍ୟସଂସ୍କୃତିରେ କେତେକ ପରିବର୍ତ୍ତନ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏସବୁ ନିର୍ଦ୍ଦେଶ ମଧ୍ୟରୁ ପ୍ରମୁଖ ହେଲା ଭିଆଇପି ସଂସ୍କୃତିକୁ ଲୋପ କରିବା । ଏଥିପାଇଁ ନୌସେନାର ବିଭିନ୍ନ ସମାରୋହ ଅଥବା ମିଟିଂ ସମୟରେ ଅଫିସର,ଅନ୍ୟ ନୌସେନା କର୍ମଚାରୀଙ୍କ ଖାଦ୍ୟ, ବାସନ ସମାନ ପ୍ରକାରର ରହିବ । ପୂର୍ବରୁ ଅଫିସରମାନଙ୍କ ଖାଦ୍ୟ ଓ ବାସନ ନୌସେନାର ସେଲର ଓ ଅନ୍ୟ କର୍ମଚାରୀଙ୍କ ଖାଦ୍ୟ ଓ ବାସନ ତୁଳନାରେ ଅଲଗା ରହୁଥିଲା । ବରିଷ୍ଠ ଅଧିକାରୀଙ୍କ ଗସ୍ତ ସମୟରେ କରାଯାଉଥିବା ଅଯଥା ଲୋକଦେଖାଣିଆ କାର୍ଯ୍ୟକ୍ରମମାନ ବନ୍ଦ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । କନିଷ୍ଠ କର୍ମଚାରୀମାନେ ବରିଷ୍ଠ କର୍ମଚାରୀଙ୍କୁ ଆବଶ୍ୟକ ସମ୍ମାନ ଓ ଶୃଙ୍ଖଳା ପ୍ରଦର୍ଶନ କରିବେ, କିନ୍ତୁ ଚାଟୁକାରିତାରୁ ଦୂରେଇ ରହିବେ । ସେହିପରି ଭିଆଇପିମାନଙ୍କ ଗ୍ରସ୍ତ ସମୟରେ ଯେପରି ନିତିଦିନିଆ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ନହୁଏ ସେଥିପ୍ରତି ଯତ୍ନବାନ ହେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର