ସିଏଏ ବିରୋଧୀ ଆନ୍ଦୋଳନ ବେଳେ ହୃଦ୍‌ଘାତରେ ମହିଳା ଆନ୍ଦୋଳନକାରୀଙ୍କ ମୃତ୍ୟୁ

କୋଲକାତା: ରବିବାର କୋଲକାତାର ପାର୍କ ସର୍କସ ମୈଦାନରେ ନାଗରିିକତା ସଂଶୋଧନ ଆଇନ୍‌ (ସିଏଏ) ଓ ଜାତୀୟ ନାଗରିକତା ପଞ୍ଜିକରଣ (ଏନ୍‌ଆର୍‌ସି) ବିରୋଧରେ ଆନ୍ଦୋଳନ କରୁଥିବା ବେଳେ ଜଣେ ମହିଳା ଆନ୍ଦୋଳନକାରୀଙ୍କ ମୃତ୍ୟୁ ଘଟିଛି। ମୃତା ଆନ୍ଦୋଳନକାରୀ ଜଣକ ହେଉଛନ୍ତି ସମିଦା ଖାତୁନ। ତାଙ୍କ ବୟସ ୫୭ ବର୍ଷ।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏଣ୍ଟାଲିର ବାସିନ୍ଦା ଖାତୁନ ଗତ ୧୨ ଦିନ ହେବ ପାର୍କ ସର୍କସ ମ‌ୈଦାନରେ ସିଏଏ ଓ ଏନ୍‌ଆର୍‌ସିକୁ ବିରୋଧ କରି ଆନ୍ଦୋଳନ କରି ଆସୁଥିଲେ। ରବିବାର ସକାଳେ ସେ ଆନ୍ଦୋଳନ କରୁଥିବା ବେଳେ ହଠାତ୍‌ ତାଙ୍କର ହୃଦ୍‌ଘାତ ହେବାରୁ ତାଙ୍କର ମୃତ୍ୟୁ ଘଟିଛି।

ଖାତୁନଙ୍କର ହୃଦ୍‌ଘାତ ଘଟିବା ପରେ ‌ତାଙ୍କୁ ନିକଟସ୍ଥ ଇସ୍‌ଲାମିଆ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କ ଚିକିତ୍ସା କରି ତାଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଛି ବୋଲି କହିଥିଲେ।

ସୂଚନା ରହିଛି ଯେ କୋଲକାତାର ପାର୍କ ସର୍କସ ମୈଦାନରେ ପ୍ରାୟ ୬୦ ଜଣ ମୁସ୍‌ଲମାନ ମହିଳା ଆନ୍ଦୋଳନରେ ସାମିଲ୍‌ ହୋଇଥିଲେ। ଏହି ଅ‌ାନ୍ଦୋଳନରେ ଭିନ୍ନ ଭିନ୍ନ କଲେଜ ଓ ବିଶ୍ବବିଦ୍ୟାଳୟର କିଛି ଛାତ୍ରଛାତ୍ରୀ ବି ସାମିଲ୍‌ ହୋଇଥିଲେ। ମହିଳା ଆନ୍ଦୋଳକାରୀଙ୍କ ଏହି ଦଳରେ ଗୃହିଣୀରୁ ନେଇ କର୍ମଜୀବୀଙ୍କ ପର୍ଯ୍ୟନ୍ତ ସମସ୍ତେ ସାମିଲ୍‌ ହୋଇଥିଲେ। ଆନ୍ଦୋଳନକାରୀଙ୍କ କହିବା କଥା ହେଲା ସିଏଏ ପ୍ରତ୍ୟାହାର କରା ନଗଲା ପର୍ଯ୍ୟନ୍ତ ସେମାନେ ଆନ୍ଦେଳନରୁ ଉଠିବେ ନାହିଁ।

ସମ୍ବନ୍ଧିତ ଖବର