ମୁମ୍ବାଇ : ରାଜନୈତିକ ଆକ୍ରୋଶ ସତ୍ତ୍ବେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମୁମ୍ବାଇ ଜୋନ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖଡ଼େଙ୍କ ଡ୍ରଗ୍ସ ବିରୋଧୀ ଅଭିଯାନ ଜାରି ରହିଛି । ଗୋଟିଏ ପଟେ ମହାରାଷ୍ଟ୍ର ଗୃହମନ୍ତ୍ରୀ ନଓ୍ବାବ ମଲ୍ଲିକ ବିଭିନ୍ନ ଦିଗରୁ ତାଙ୍କ ଉପରେ ଆକ୍ଷେପ ଜାରି ରଖିଥିଲେ ବି ସେ ନିଜ ଅଭିଯାନରୁ ବିରତ ହେଉନାହାନ୍ତି ।
ଆଜି ସମୀରଙ୍କ ନେତୃତ୍ବରେ ଏନସିବି ଏକାଧିକ ଅପରେସନ ଚଳାଇ କୋଟି କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ କରିଛି । ଜବତ ସାମଗ୍ରୀ ମଧ୍ୟରେ ରହିଛି ୨.୨ କିଲୋଗ୍ରାମ ଆମ୍ଫେଟାମାଇନ, ପ୍ରାୟ ୪ କିଲୋ ଅଫିମ, ଅଢେଇ କିଲୋଗ୍ରାମ ଜୋଲପିଡେମ୍ ଟାବଲେଟ୍ ରହିଛି । ଏହି ମାମଲାରେ ଜଣେ ବିଦେଶୀ ନାଗରିକକୁ ଗିରଫ କରାଯାଇଛି । ସୋମବାର ରାତିରେ ମୁମ୍ବାଇର ଅନ୍ଧେରି ଅଞ୍ଚଳରେ ହୋଇଥିବା ଏକ ଚଢଉ ବେଳେ ଏକ ମାଇକ୍ରୋଓ୍ବେଭ ଓଭେନ ଭିତରୁ ଉକ୍ତ ୪ କିଲୋ ଅଫିମ ଜବତ ହୋଇଥିଲା ।
ସେହିପରି ଗତ ୧୦ ତାରିଖରେ ଅନ୍ଧେରି ଅଞ୍ଚଳରେ ହୋଇଥିବା ଚଢଉରେ ଏକ ଷ୍ଟେଥୋସ୍କୋପ ଭିତରୁ ୪୯୦ ଗ୍ରାମ ଆମ୍ଫେଟାମାଇନ ଜବତ କରାଯାଇଥିଲା । ସେହିପରି ଜୋଲପିଡେମ୍ ଟାବଲେଟ ଗୁଡ଼ିକ ତେଜରାତି ସାମଗ୍ରୀଗୁଡ଼ିକ ମଧ୍ୟରେ ଲୁଚାଯାଇଥିଲା ।
ଗତ ଅକ୍ଟୋବର ମାସରେ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆରୟନଙ୍କୁ ଏକ କ୍ରୁଜ ଜାହାଜରୁ ଗିରଫ କରି ସମୀର ଚର୍ଚ୍ଚାକୁ ଆସିଥିଲେ । ଏହା ପରେ ଯେପରି ନଓ୍ବାବ ମଲ୍ଲିକଙ୍କ ସମେତ ସମଗ୍ର ମହାରାଷ୍ଟ୍ର ସରକାର ସମୀରଙ୍କ ବିରୋଧୀ ହୋଇଗଲେ । ସମୀରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଅଣାଯିବା ସହ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ବିଭିନ୍ନ ଅଭିଯୋଗ କରାଯାଇଥିଲା ।