ଏନସିବିରୁ ବିଦା ହେଲେ ସମୀର ୱାଙ୍ଖଡେ, ବଢ଼ିଲାନି ଅବଧି

ମୁମ୍ବାଇ: ଶେଷରେ ବହୁ ବାଦ ବିବାଦ ପରେ ଏନସିବିରୁ ବିଦା ହୋଇଛନ୍ତି ବରିଷ୍ଠ ଆଇଆରଏସ ଅଧିକାରୀ ସମୀର ୱାଙ୍ଖଡେ | ବାସ୍ତବରେ, ଏନସିବିରେ ସମୀରଙ୍କର ସମୟ ସୀମା ଆଉ ବଢାଯାଇନାହିଁ | ଏନସିବିରେ ୱାଙ୍ଖଡେଙ୍କର ୪ ମାସର ସମ୍ପ୍ରସାରଣ ୩୧ ଡିସେମ୍ବର ୨୦୨୧ରେ ସମାପ୍ତ ହୋଇଛି | ସୂଚନା ଥାଉ କି ଯେ ସମୀର ୱାଙ୍ଖଡେ ଜଣେ ଆଇଆରଏସ ଅଧିକାରୀ ହୋଇଥିବାବେଳେ ମୁମ୍ବାଇରେ ଡ୍ରଗ୍ସ ମାମଲାର ଯାଞ୍ଚ କରି ଚର୍ଚ୍ଚାକୁ ଆସିଥିଲେ | ବିଶେଷ କରି ବଲିଉଡର ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଯେତେବେଳେ ସେ ଗିରଫ କରିଥିଲେ ସେତେବେଳେ ସେ ଖବରର ଶିରୋନାମାରେ ରହିଥିଲେ । ଏହା ପୂର୍ବରୁ ଅନୁମାନ କରାଯାଉଥିଲା ଯେ କେନ୍ଦ୍ର ସରକାର ତାଙ୍କ ଚାକିରି ଅବଧିକୁ ସମ୍ପ୍ରସାରଣ କରିପାରନ୍ତି କିନ୍ତୁ ତାହା ହୋଇପାରିନାହିଁ। ପୁନର୍ବାର ତାଙ୍କୁ ରାଜସ୍ୱ ଇଣ୍ଟେଲିଜେନ୍ସ (DRI) ବିଭାଗକୁ ପଠାଯାଇଛି |

ସୂଚନା ମୁତାବକ ସମୀର ୱାଙ୍ଖଡେ ରାଜସ୍ୱ ଇଣ୍ଟେଲିଜେନ୍ସରେ ଥିଲେ | ପରେ ତାଙ୍କୁ ମୁମ୍ବାଇ ଏନସିବି ଅଣାଯାଇ ଜୋନାଲ ନିର୍ଦ୍ଦେଶକ କରାଯାଇଥିଲା। ବର୍ତ୍ତମାନ ତାଙ୍କୁ ପୁନର୍ବାର ଡିଆରଆଇକୁ ପଠାଯାଇଛି | ସମୀର ୱାଙ୍ଖଡେ ୨୦୦୮ ବ୍ୟାଚ୍ ରାଜସ୍ୱ ସେବା ଅଧିକାରୀ ହୋଇଥିବାବେଳେ ଏହି ସେବାରେ ଯୋଗଦେବା ପରେ ତାଙ୍କୁ ପ୍ରଥମେ ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଡେପୁଟି କଷ୍ଟମ କମିଶନର ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଏଠାରେ ସେ ଖୁବ ଭଲ କାମ କରିଥିଲେ, ଯେଉଁଥିପାଇଁ ତାଙ୍କୁ ପରେ ଆନ୍ଧ୍ରପ୍ରଦେଶ ଏବଂ ପରେ ଦିଲ୍ଲୀ ପଠାଯାଇଥିଲା | ଦିଲ୍ଲୀ ପରେ ପୁଣି ଥରେ ତାଙ୍କୁ ମୁମ୍ବାଇ ପଠାଯାଇଥିଲା | ଏଠାରେ ତାଙ୍କୁ ଏନସିବିର ଜୋନାଲ ନିର୍ଦ୍ଦେଶକ କରାଯାଇଥିଲା |

ସେ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ଡ୍ରଗ୍ସ ମାମଲାର ତଦନ୍ତ ଆରମ୍ଭ କରିଥିଲେ। ଏହି ସମୟରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇଙ୍କୁ ବହୁତ ପ୍ରଶ୍ନ କରାଯାଇଥିଲା। ଗତ ଦୁଇ ବର୍ଷ ମଧ୍ୟରେ ସମୀର ୱାଙ୍ଖଡେଙ୍କ ନେତୃତ୍ୱରେ ପ୍ରାୟ ୧୭ ହଜାର କୋଟି ଟଙ୍କାର ଡ୍ରଗ୍ସ ଏବଂ ଡ୍ରଗ୍ସ ରାକେଟର ପର୍ଦ୍ଦାଫାଶ ହୋଇଥିଲା। ତେବେ ଡ୍ରଗ୍ସ ମାମଲାରେ ତାଙ୍କର କାର୍ଯ୍ୟାନୁଷ୍ଠାନକୁ ନେଇ ଏନସିପି ନେତା ନବାବ ମଲ୍ଲିକ ଲଗାତାର ସାମ୍ବାଦିକ ସମ୍ମିଳନୀ କରି ୱାଙ୍ଖଡେଙ୍କୁ ଟାର୍ଗେଟ କରିଥିଲେ । ଏହା ପରେ ସମୀର ୱାଙ୍ଖଡେ ହାଇକୋର୍ଟରେ ମଲିକଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ।

ସମ୍ବନ୍ଧିତ ଖବର