ସମୀର ୱାଙ୍ଖଡ଼େ ଜନ୍ମ ଅନୁସାରେ ମୁସଲମାନ ନୁହନ୍ତି, ସାର୍ଟିଫିକେଟ ମାମଲାରେ ମିଳିଲା କ୍ଳିନ୍‌ଚିଟ୍

ମୁମ୍ବାଇ : ବର୍ଷେ କାଳ ଚାଲିଥିବା ବିବାଦର ଅନ୍ତ ଘଟାଇ ଜାତି ଯାଞ୍ଚକାରୀ କମିଟି ପୂର୍ବତନ ଏନ୍‌ସିବି ଅଧିକାରୀ ସମୀର ୱାଙ୍ଖଡ଼େଙ୍କୁ କ୍ଳିନଚିଟ୍ ପ୍ରଦାନ କରିବା ସହ ତାଙ୍କ ଜାତି ସାର୍ଟିଫିକେଟକୁ କାଏମ୍ ରଖିଛି। ଏକ ୯୧-ପୃଷ୍ଠିଆ ଆଦେଶନାମାରେ କମିଟି ସ୍ପଷ୍ଟ କରିଛି ଯେ ଜନ୍ମ ଅନୁସାରେ ୱାଙ୍ଖଡ଼େ ଜଣେ ମୁସଲମାନ ନୁହନ୍ତି। କମିଟି କହିଛି ଯେ ସମୀର ୱାଙ୍ଖଡ଼େ କିମ୍ବା ତାଙ୍କ ପିତା ଧ୍ୟାନେଶ୍ବର ୱାଙ୍ଖଡ଼େ ହିନ୍ଦୁଧର୍ମକୁ ପରିତ୍ୟାଗ କରିନାହାନ୍ତି କି ମୁସଲମାନ ଧର୍ମ ଗ୍ରହଣ କରିନାହାନ୍ତି। ଉଭୟ ବାପ-ପୁଅଙ୍କୁ ହିନ୍ଦୁଧର୍ମ ଅନୁସାରେ ମାହାର- ଅନୁସୂଚିତ ଜାତି ବର୍ଗର ବୋଲି ଗଣନା କରାଯାଏ।

ଏହାପରେ ୱାଙ୍ଖଡ଼େ ଟ୍ବିଟରରେ ଲେଖିଛନ୍ତି- ‘ସତ୍ୟମେବ ଜୟତେ’। ସେ ତାଙ୍କ ଚାକିରିରେ ନିଷ୍ଠାର ସହ କାମ କରିଛନ୍ତି, କିନ୍ତୁ କିଛି ଲୋକଙ୍କ ସ୍ବାର୍ଥରେ ଆଘାତ ଆସିଲା ବୋଲି ସେମାନେ ତାଙ୍କ ପରିବାର, ଏପରିକି ତାଙ୍କ ବିଦେହୀ ମାଆଙ୍କୁ ମଧ୍ୟ ଟାର୍ଗେଟ କରିବାକୁ ପଛେଇଲେନି ବୋଲି କହି ସେ କ୍ଷୋଭ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଗତବର୍ଷ କ୍ରୁଜ୍ ଡ୍ରଗ୍ ମାମଲାରେ ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନ୍ ଖାନ୍ ଗିରଫ ହେବା ପରେ ପୂର୍ବତନ ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନ୍‌ସିପି ନେତା ନୱାବ ମଲିକ ୱାଙ୍ଖଡ଼େଙ୍କ ମାଆ, ପରିବାର ଓ ଜାତିକୁ ନେଇ ନାନା ଅଭିଯୋଗ କରିଥିଲେ। ସେ କହିଥିଲେ ଯେ ୱାଙ୍ଖଡ଼େଙ୍କ ମାଆ ମୁସଲମାନ, ସେ ମିଥ୍ୟା ଜାତି ପ୍ରମାଣପତ୍ର ଦେଇ କୋଟାରେ ଚାକିରି କରିଛନ୍ତି।

ସମ୍ବନ୍ଧିତ ଖବର