ଆର୍ୟନ ଖାନଙ୍କୁ କ୍ଲିନ୍ ଚିଟ୍ ଦେବାକୁ ଚାହୁଥିଲା ଏସ୍‌ଇଟି: ବମ୍ବେ ହାଇକୋର୍ଟରେ ସମୀର ୱାଙ୍ଖଡ଼େଙ୍କ ସତ୍ୟପାଠ

ମୁମ୍ବାଇ : କ୍ରୁଜ୍ ଜାହାଜ ଡ୍ରଗ୍ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଇଟି) ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ କ୍ଳିନ୍ ଚିଟ୍ ଦେବାକୁ ଚାହୁଥିଲା ବୋଲି ଏନ୍‌ସିବିର ତତ୍କାଳୀନ ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡ଼େ ଗୁରୁବାର ବମ୍ବେ ହାଇକୋର୍ଟରେ କହିଛନ୍ତି।

ହାଇକୋର୍ଟ‌ରେ ଏକ ସତ୍ୟପାଠ ଦାଖଲ କରି ୱାଙ୍ଖଡ଼େ କହିଛନ୍ତି ଯେ, ଏସ୍‌ଇଟିର ଅଭିପ୍ରାୟ ଥିଲା ସେ ପ୍ରଥମେ ମନିଟର କରୁଥିବା ମାମଲାରେ ସନ୍ଦେହ ସୃଷ୍ଟି କରି ଆର୍ୟନଙ୍କୁ କ୍ଳିନ୍ ଚିଟ୍ ଦେବା। ଏସ୍‌ଇଟି ସେହି ପ୍ରଚେଷ୍ଟାରେ ରହି ରିପୋର୍ଟ ପ୍ରସ୍ତୁତ କରିଥିଲା। ଏଥି ସହ ସିବିଆଇ ତାଙ୍କ ବିରୋଧରେ ଦାଖଲ କରିଥିବା ଏତଲାକୁ ଖାରଜ କରିଦେବା ପାଇଁ ସେ କୋର୍ଟରେ ଆବେଦନ କରିଥିଲେ।

ଗତ ୨୦୨୧ ଅକ୍ଟୋବର ୨ ତାରିଖରେ ୱାଙ୍ଖଡ଼େଙ୍କ ନେତୃତ୍ବାଧୀନ ଏନ୍‌ସିବି ମୁମ୍ବାଇ-ଗୋଆ କ୍ରୁଜ୍‌ରୁ ଡ୍ରଗ୍ ଜବତ କରିବା ପରେ ଆର୍ୟନ ଖାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏଥି ସହ ଆର୍ୟନଙ୍କ ସମେତ ୨୦ ଜଣଙ୍କୁ ଗିରଫ କରିଥିଲା। ଅକ୍ଟୋବର ୨୮ରେ ଆର୍ୟନଙ୍କୁ ଜାମିନ ପ୍ରଦାନ କରାଯିବା ସହ ୨୦୨୨ ମେ ୨୭ରେ କ୍ଳିନ୍ ଚିଟ୍ ପ୍ରଦାନ କରାଯାଇଥିଲା। ପରେ ମାମଲାର ତଦନ୍ତ ଦାୟିତ୍ବ ଏସ୍‌ଇଟିକୁ ହସ୍ତାନ୍ତର କରାଯାଇଥିଲା। ଇତିମଧ୍ୟରେ ଆର୍ୟନଙ୍କୁ ଖଲାସ କରିବା ପାଇଁ ଶାହରୁଖ ଖାନଙ୍କଠାରୁ ୨୫ କୋଟି ଦାବି ଅଭିଯୋଗରେ ଏସ୍‌ଆଇଟି ରିପୋର୍ଟ ଭିତ୍ତିରେ ସିବିଆଇ ପକ୍ଷରୁ ୱାନଖେଡ଼େଙ୍କ ବିରୋଧରେ ଏକ ଏଫ୍‌ଆଇଆର୍ ରୁଜୁ କରାଯାଇଛି। ୱାନଖେଡ଼େ ଅଭିଯୋଗ କରିଛନ୍ତି ଯେ, ଏସ୍‌ଇଟି ପକ୍ଷରୁ ପ୍ରମାଣକୁ ଏପଟସେପଟ କରାଯାଇ ତାଙ୍କ ପରି ଏନ୍‌ସିବିର ସଚ୍ଚୋଟ ଅଧିକାରୀମାନଙ୍କୁ ହଇରାଣ କରାଯାଇଛି। ଏନ୍‌ସିବି ଆଞ୍ଚଳିକ ଶାଖା ଯେଉଁ ରିପୋର୍ଟ ପ୍ରସ୍ତୁତ କରିଥିଲା ଏସ୍‌ଇଟିର ରିପୋର୍ଟ ତାହାଠାରୁ ଅଲଗା ଓ ଉଦ୍ଦେଶ୍ୟମୂଳକ ବୋଲି ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର