ସମଝୌତା ଏକ୍ସପ୍ରେସ୍‌ ଅଟକ, ୱାଘା ସୀମାରେ ଟ୍ରେନ୍‌ ଅଟକାଇଲା ପାକିସ୍ତାନ

ସ୍ବତନ୍ତ୍ର ଇଞ୍ଜିନ୍‌ ଲଗାଇ ଟ୍ରେନ୍‌କୁ ଅଟାରି ଅଣାଗଲା, ନିଷ୍ପତ୍ତିର ସମୀକ୍ଷା କରୁ ପାକିସ୍ତାନ: ଭାରତ

ନୂଆଦିଲ୍ଲୀ: ଭାରତ ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇବା ଏବଂ ଏହାକୁ କେନ୍ଦ୍ର ଶାସିତ ଅଂଚଳ ଭାବେ ଘୋଷଣା କରିବା ପରେ ପାକିସ୍ତାନ ଏବେ ବିଚଳିତ ହୋଇଉଠିଛି। ପାକିସ୍ତାନ ରେଳ ମନ୍ତ୍ରୀ ଶେଖ ରାସିଦ୍‌ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ସମଝୌତା ଏକ୍ସପ୍ରେସ୍‌ ଟ୍ରେନ୍‌ ରଦ୍ଦ କରିବାକୁ ଘୋଷଣା କରିବା ପରେ ଦୁଇ ଦେଶ ମଧ୍ୟରେ ସଂପର୍କ ଆହୁରି ତିକ୍ତ ହୋଇଉଠିଛି। ଆଜି ପାକ୍‌ ଅଧିକାରୀମାନେ ସମଝୌତା ଏକ୍ସପ୍ରେସ୍‌ ଟ୍ରେନ୍‌କୁ ୱାଘା ସୀମାରେ ଅଟକାଇ ରଖିଥିଲେ। ଟ୍ରେନ୍‌ରେ ୧୧୦ ଭାରତୀୟ ଯାତ୍ରୀ ଫସି ରହିଥିବାରୁ ଭାରତ ଏ ଦିଗରେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେଇ ଟ୍ରେନ୍‌କୁ ଏକ ସ୍ବତନ୍ତ ଇଂଜିନ ଲଗାଇ ଅଟାରି ଷ୍ଟେସନକୁ ଆଣିଛି।

ଉତ୍ତର ରେଲ୍‌ୱେ ସିପିଆର୍‌ଓ କହିଛନ୍ତି, ଟ୍ରେନ୍‌ ବନ୍ଦ କରାଯିବ ବୋଲି ପାକିସ୍ତାନ ପ୍ରଶାସନ ପୂର୍ବରୁ କୌଣସି ସୂଚନା ଦେଇନଥିଲା। କିନ୍ତୁ ସୁରକ୍ଷାକୁ ନେଇ ଚିନ୍ତା ଜାହିର୍‌ କରିଥିଲା। ଟ୍ରେନ୍‌କୁ ୱାଘାରୁ ଅଟାରି ଆଣିବା ପାଇଁ ଏକ ସ୍ବତନ୍ତ୍ର ଇଂଜିନ୍‌ ପଠାଯାଇଥିଲା ବୋଲି ସେ କହିଛନ୍ତି। ପାକିସ୍ତାନରୁ ଭାରତ ଆସୁଥିବା ୧୧୦ ଜଣ ଯାତ୍ରୀ ସୁରକ୍ଷିତ ପହଞ୍ଚିଛନ୍ତି। ବୁଧବାର ଭାରତ ସହିତ ଦ୍ବିପାକ୍ଷିକ କୂଟନୈତିକ ସଂପର୍କ ହ୍ରାସ କରିବା ପାଇଁ ପାକିସ୍ତାନ ଘୋଷଣା କରିବା ସହ ଭାରତୀୟ ହାଇକମିସନର ଅଜୟ ବିସାରିଆଙ୍କୁ ବହିଷ୍କାର ଘୋଷଣା କରିଥିଲା। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଧ୍ୟକ୍ଷତାରେ ଗଠିତ ଜାତୀୟ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହେବାପରେଏହି ଘୋଷଣା କରାଯାଇଥିଲା। ଭାରତ ସହିତ ବାଣିଜ୍ୟିକ କାରବାର ମଧ୍ୟ ଛିନ୍ନ କରିବା ପାଇଁ ପାକିସ୍ତାନ ଘୋଷଣା କରିଥିଲା। ଭାରତ ସରକାର ପାକିସ୍ତାନର ଏଭଳି ପଦକ୍ଷେପକୁ ଦୃଢ଼ ନିନ୍ଦା କରିଛନ୍ତି ଏବଂ ପାକିସ୍ତାନ ତା’ର ନିଷ୍ପତ୍ତିର ସମୀକ୍ଷା କରିବା ଆବଶ୍ୟକ ବୋଲି ବିଦେଶ ମନ୍ତ୍ରାଳୟ କହିଛି। ଦୁଇ ଦେଶ ମଧ୍ୟରେ ସ୍ବାଭାବିକ କୂଟନୈତିକ ଚ୍ୟାନେଲ ସକ୍ରିୟ ରହିବା ଆବଶ୍ୟକ ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି । ଏକତରଫା ନିଷ୍ପତ୍ତି ପାକିସ୍ତାନ ପାଇଁ ହିଁ ମହଙ୍ଗା ପଡ଼ିବ ବୋଲି ଭାରତ ଚେତାଇ ଦେଇଛି।

ପାକିସ୍ତାନକୁ ଆମେରିକାର ଚେତାବନୀ
ପ୍ରତିଶୋଧ ମାନସିକତାରେ ନିଷ୍ପତ୍ତି ନିଅନାହିଁ

ଆମେରିକାର ପ୍ରଭାବଶାଳୀ ଡେମୋକ୍ରାଟିକ୍‌ ସାଂସଦମାନେ ଆଜି ପାକିସ୍ତାନର ଆଭିମୁଖ୍ୟକୁ ସମାଲୋଚନା କରିଛନ୍ତି। ଭାରତ ବିରୋଧରେ ପାକିସ୍ତାନ ପ୍ରତିଶୋଧ ମାନସିକତାରେ କୌଣସି ପଦକ୍ଷେପ ଗ୍ରହଣ କରିବା ଉଚିତ ନୁହେଁ ଏବଂ ଏହି ରାଷ୍ଟ୍ର ଆତଙ୍କବାଦ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ସେମାନେ କହିଛନ୍ତି। ଭାରତ ସହ କୂଟନୈତିକ ସଂପର୍କ ଛିନ୍ନ କଲେ ପାକିସ୍ତାନକୁ ଏହା ଏକଘରିଆ କରିଦେବ ବୋଲି ଆମେରିକା କଂଗ୍ରେସ ସଦସ୍ୟ ଇଲିୟନ ଏଂଜଲ ଏବଂ ସିନେଟର ରବର୍ଟ ମେନେନ୍ଦିଜ୍‌ କହିଛନ୍ତି। ଟ୍ରମ୍ପ୍‌ ପ୍ରଶାସନ ମଧ୍ୟ କହିଛି ଯେ ପାକିସ୍ତାନକୁ ସତର୍କତାର ସହ ମାମଲା ପରିଚାଳନା କରିବାକୁ ପଡ଼ିବ ଏବଂ ଭାରତ ସହ ସୁସଂପର୍କ କାଏମ ରଖିବାକୁ ହେବ। ଉଭୟ ରାଷ୍ଟ୍ର ଏ ଦିଗରେ ସକରାତ୍ମକ ପଦକ୍ଷେପ ନେବାକୁ ଆମେରିକା କହିଛି।

ସମ୍ବନ୍ଧିତ ଖବର