ଭାରତ-ପାକ୍‌ ମଧ୍ୟରେ ଚାଲୁଥିବା ସମ୍‌ଝୌତା ଏକ୍ସପ୍ରେସ ଟ୍ରେନ୍‌ ସେବା ବନ୍ଦ କରିଲା ପାକିସ୍ତାନ , ଲାହୋରରେ ଅଟକାଗଲା

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ତୀବ୍ର ଉତ୍ତେଜନା ସାଙ୍ଗକୁ ସୀମାରେ ଉଭୟ ପକ୍ଷରୁ ଗୁଳିଗୋଳା ବର୍ଷଣ ହେଉଥିବା ହେତୁ ପାକିସ୍ତାନ୍‌ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମିଳିଥିବା ସୂଚନା ଅନୁଯାୟୀ ପାକିସ୍ତାନ କର୍ତ୍ତୃପକ୍ଷ ସମ୍‌ଝୌତା ଏକ୍ସପ୍ରେସ ଟ୍ରେନ୍‌ର ସେବାକୁ ବନ୍ଦ କରି ଦେଇଛନ୍ତି। ଏହି ଟ୍ରେନ୍‌ ସପ୍ତାହରେ ଦୁଇ ଦିନ ଚାଲିଥାଏ । ପାକିସ୍ତାନର ଲାହୋରଠାରୁ ପ୍ରତି ସୋମବାର ଓ ଗୁରୁବାର ଦିନ ଯାତ୍ରା କରିଥାଏ।

ଭାରତ-ପାକିସ୍ତାନ ମଧ୍ୟରେ ଚଳାଚଳ କରୁଥିବା ଏହି ଏକମାତ୍ର ଟ୍ରେନ୍‌ ଆଜି ୧୬ ଜଣ ପାକ୍‌ ଯାତ୍ରୀଙ୍କୁ ନେଇ ଯାତ୍ରା କରିବାର ଥିଲା। ଏହାର ଯାତ୍ରା କରାଚିଠାରୁ ଆରମ୍ଭ ହୋଇଥିଲା। ମାତ୍ର ପାକିସ୍ତାନ କତ୍ତୃପକ୍ଷ ଏହି ଟ୍ରେନ୍‌କୁ ଲାହୋରଠାରେ ଅଟକାଇ ରଖିଛନ୍ତି। ସେଠାରେ ରେଳ ଯାତ୍ରୀମାନଙ୍କୁ ମଧ୍ୟ ଅଟକାଇ ଦିଆଯାଇଥିବା ଜଣାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ଜାରି ନ ହେବା ଯାଏଁ ସମ୍‌ଝୌତା ଏକ୍ସପ୍ରେସ୍‌ ଟ୍ରେନର ଚଳାଚଳ ବନ୍ଦ ରହିବ ବୋଲି କୁହାଯାଇଛି।

ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ ଆଜି ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ପାକିସ୍ତାନ କର୍ତ୍ତୃପକ୍ଷ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କୁହାଯାଉଛି । ଏଣେ ପାକିସ୍ତାନରେ ସ୍କୁଲ କଲେଜ ଛୁଟି ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର