ମୁମ୍ବାଇ: ମହାରାଷ୍ଟ୍ରର ସମୃଦ୍ଧି ଏକ୍ସପ୍ରେସୱେରେ ଆଜି ଏକ ଏସି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯିବା ଫଳରେ ବସ୍ରେ ଥିବା ୨୫ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ବସ୍ରେ ମୋଟ୍ ୩୩ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୮ ଜଣ ଝରକା ଭାଙ୍ଗି ବାହାରକୁ ପଳାଇ ଆସିବାରେ ସକ୍ଷମ ହୋଇଥିଲେ। ଏତେ ବଡ଼ ଦୁର୍ଘଟଣାରୁ ବଞ୍ଚି ଯାଇଥିବା ଜଣେ ଯାତ୍ରୀ ଦୁର୍ଘଟଣା କଥା ମନେ ପକାଇ କହିଛନ୍ତି, ବସ୍ ଡିଭାଇଡର୍ରେ ପିଟି ହୋଇ ଓଲଟିଯିବା ପରେ ତୁରନ୍ତ ବସ୍ରେ ନିଆଁ ଲାଗି ଯାଇଥିଲା। ସେ ଏବଂ ଅନ୍ୟ କିଛି ଯାତ୍ରୀ ଝରକା ଭାଙ୍ଗି ବସ୍ରୁ ବାହାରି ଆସିବାରେ ସକ୍ଷମ ହୋଇଥିଲେ। ସେ କହିଛନ୍ତି, ପୁଲିସ ଏବଂ ଅଗ୍ନି ନିର୍ବାପକ ଦଳ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ଏହା ପୂର୍ବରୁ ବି ସେମାନେ ରାଜପଥରେ ଅନ୍ୟ ଗାଡ଼ି ଅଟକାଇ ସାହାଯ୍ୟ ମାଗିଥିଲେ। କିନ୍ତୁ କେହି ଅଟକିନଥିଲେ ବୋଲି ସେ କହିଛନ୍ତି। ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, ଆମେ ଘଟଣାସ୍ଥଳରେ ପହଞ୍ଚିବାବେଳକୁ ଅତି ଭୟଙ୍କର ସ୍ଥିତି। ବସ୍ରେ ବସିଥିବା ଲୋକେ ଝରକା ଭାଙ୍ଗିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ପାରିନଥିଲେ। ଲୋକମାନେ ଜିଅନ୍ତା ଜଳି ଯାଉଥିବାର ଆମେ ଦେଖିଛୁ। କିନ୍ତୁ ଆମେ କିଛି ବି କରି ପାରିନଥିଲୁ। ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖି ଆମେ ଅତ୍ୟନ୍ତ ଅସହାୟ ହୋଇ ଚିତ୍କାର କରୁଥିଲୁ ବୋଲି ସେ କହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp