ନୂଆଦିଲ୍ଲୀ : ଓଡ଼ିଶା ସମେତ ୧୨ ଟି ରାଜ୍ୟରୁ ନିବେଶକମାନଙ୍କଠାରୁ ପାଖାପାଖି ୨ ଲକ୍ଷ କୋଟି ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ପୁନେ ସ୍ଥିତ ସମୃଦ୍ଧ ଜୀବନ ଫୁଡ୍ସ ଲିମିଟେଡ୍ର ସିଏମ୍ଡି ମହେଶ କିଷନ ମଟେୱାରଙ୍କୁ ଆଜି ସୁପ୍ରିମେକାର୍ଟ ଜାମିନ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟ ବିଚାରପତି ରୋହିନଟନ ଫାଲି ନାରିମନ୍ ଓ ବିଚାରପତି ନବୀନ ସିହ୍ନାଙ୍କର ଖଣ୍ଡପୀଠ ମଟେୱାରଙ୍କ ଜାମିନ ଆବେଦନର ଶୁଣାଣି କରିଥିଲେ।
ଓଡ଼ିଶାାରେ ସମୃଦ୍ଧ ଜୀବନ ଫୁଡ୍ସ ଲିମିଟେଡ୍ କମ୍ପାନି ନିବେଶକାରୀଙ୍କଠାରୁ ୪୦୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ରହିଛି। ଗ୍ରାମାଞ୍ଚଳ ତଥା ଅର୍ଦ୍ଧ ସହରାଞ୍ଚଳରେ ନିବେଶକମାନଙ୍କୁ ଉକ୍ତ କମ୍ପାନି ଦ୍ବାରା ବିଭିନ୍ନ ସ୍କିମ୍ ଦ୍ବାରା ଜମା ଅର୍ଥ ଖୁବ୍ କମ୍ ସମୟ ଅବଧିରେ ଦ୍ବିଗୁଣିତ ହେବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ଓଡ଼ିଶାରେ ୩୭ଟି କାର୍ଯ୍ୟାଳୟ ସ୍ଥାପନ କରି ଅର୍ଥ ସଂଗ୍ରହ କରାଯାଇଥିଲା। ତେବେ ପରବର୍ତ୍ତି ସମୟରେ କମ୍ପାନି ଦ୍ବାରା ଜମାକାରୀମାନେ ଠକାମିର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ଉଲ୍ଲେଖଯୋଗ୍ୟ ମହେଶଙ୍କୁ ପୁନେ ପୁଲିସ ଡିସେମ୍ବର ୨୮, ୨୦୧୫ରେ ପୁନେରେ ଗିରଫ କରିଥିଲା। ଏହାପରେ ମହେଶଙ୍କ ବିରୋଧରେ ଓଡ଼ିଶାର ନିବେଶକଙ୍କ ଦ୍ବାରା ଦାଖଲ ହୋଇଥିବା ମାମଲା ଆଧାରରେ ତାଙ୍କୁ ଓଡ଼ିଶା ପୁଲିସ ରିମାଣ୍ଡ୍ରେ ଆଣିଥିଲା।