ମୋବାଇଲର ଏହି ଯନ୍ତ୍ରାଂଶ ତିଆରି କରି କର୍କଟ ରୋଗର ଶିକାର ହେଲେ ୩୨୦କର୍ମଚାରୀ, କ୍ଷମା ମାଗିବା ସହ ମୁଣ୍ଡ ପିଛା ୯୫ଲକ୍ଷ ଟଙ୍କା ଦେବ ସାମ୍‌ସଙ୍ଗ

ନୂଆଦିଲ୍ଲୀ : ସାମ୍‌ସଙ୍ଗ ଇଲେକ୍ଟ୍ରୋନିକ୍ସର ସେମିକଣ୍ଡକ୍ଟର ତିଆରି କରୁଥିବା ଫ୍ୟାକ୍ଟ୍ରିରେ କାମ କରୁଥିବା ଶ୍ରମିକଙ୍କ ପାଖରେ ବିଭିନ୍ନ ପ୍ରକାରର କର୍କଟ ରୋଗର ସମସ୍ୟା ଦେଖାଯାଇଥିବା ଖବର ସାମ୍ନାକୁ ଆସିଛି । ଫ୍ୟାକ୍ଟ୍ରିରେ କାମ କରୁଥିବା ଶ୍ରମିକଙ୍କ ମଧ୍ୟରୁ ୩୨୦ଜଣ ବିଭିନ୍ନ ପ୍ରକାରର ଗମ୍ଭୀର ରୋଗରେ ଆକ୍ରାନ୍ତ ହେବା ପରେ କମ୍ପାନି ଏ ନେଇ କ୍ଷମା ପ୍ରାର୍ଥନା କରିଛି । ଏହା ସହ କ୍ଷତିପୂରଣ ଆକାରରେ ୩୨୦ ବ୍ୟକ୍ତିଙ୍କୁ ମୁଣ୍ଡ ପିଛା ୯୫ଲକ୍ଷ ଟଙ୍କା ଦେବ ବୋଲି ଘୋଷଣା କରିଛି । ମୁଖ୍ୟ କଥା ହେଲା, ଫ୍ୟାକ୍ଟ୍ରିରେ ସେମିକଣ୍ଡକ୍ଟର ତିଆରି କରୁଥିବା ଶ୍ରମିକଙ୍କ ମଧ୍ୟରୁ ୧୧୮ଜଣ ପ୍ରାଣ ହରାଇ ସାରିଛନ୍ତି ।

ସାମ୍‌ସଙ୍ଗର ସହ-ଅଧ୍ୟକ୍ଷ କିମ୍‌-କି-ନୈମ୍‌ଙ୍କ କହିବା ଅନୁଯାୟୀ,ଆମେ ଆମର ସେହି କର୍ମଚାରୀଙ୍କୁ କ୍ଷମା ପ୍ରର୍ଥନା କରୁଛୁ,ଯେଉଁ କର୍ମଚାରୀ ଏବଂ ତାଙ୍କ ପରିବାର କମ୍ପାନୀର କାମ ପାଇଁ ରୋଗଗ୍ରସ୍ତ ହୋଇଛନ୍ତି । ଆମେ ସେମିକଣ୍ଡକ୍ଟର ଏବଂ ଏଲ୍‌ସିଡ଼ି ତିଆରି କରାଯାଉଥିବା ଫ୍ୟାକ୍ଟ୍ରିରେ କାମ କରୁଥିବା କର୍ମଚାରୀଙ୍କ ସ୍ୱାସ୍ଥ୍ୟବସ୍ଥାର ଯତ୍ନ ନେବାରେ ବିଫଳ ହୋଇଛୁ । ଏବେ ନିଜର ଏହି ଭୁଲ ପାଇଁ କମ୍ପାନୀ କ୍ଷତିପୂରଣ ଦେବ । ୧୧୮ଜଣ ଲୋକ କମ୍ପାନୀର କାମ କରି ମୃତ୍ୟୁବରଣ କରିଥିବାରୁ ସେମାନଙ୍କ ପରିବାର ସମେତ ପୀଡ଼ିତ ଥିବା ୩୨୦ଜଣଙ୍କୁ ୯୫ଲକ୍ଷ ଟଙ୍କା ଦିଆଯିବ ବୋଲି କମ୍ପାନୀ ତରଫରୁ ଘୋଷଣା କରାଯାଇଛି ।

Catch News

ଅନେକ ବର୍ଷ ଧରି ଏହି ସମସ୍ୟା ଦେଖାଯାଉଥିବା ବେଳେ କମ୍ପାନୀର ଏହି କାମକୁ ବିରୋଧ କରାଯାଉଥିଲା । ଏ ନେଇ ଅଦାଲତ ପର୍ଯ୍ୟନ୍ତ କଥା ଯାଇଥିବା ବେଳେ ୧୦ବର୍ଷ ପରେ ଶୁକ୍ରବାର କମ୍ପାନୀ କ୍ଷତିପୂରଣ ଦେବା ପାଇଁ ରାଜି ହୋଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର