ନୂଆଦିଲ୍ଲୀ: ସନାତନ ଧର୍ମ ଟିପ୍ପଣୀ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆଜି ତାମିଲନାଡ଼ୁ ସରକାର, ମନ୍ତ୍ରୀ ଉଦୟନିଧି ଷ୍ଟାଲିନ, ଡିଏମ୍କେ ସାଂସଦ ଏ ରାଜା ଏବଂ ଅନ୍ୟ ୧୨ ଜଣଙ୍କୁ ନୋଟିସ୍ କରିଛନ୍ତି। ଉଦୟନିଧି ସନାତନ ଧର୍ମକୁ ନେଇ ଅତ୍ୟନ୍ତ ଉତ୍ତେଜକ ଓ ଘୃଣା ସୃଷ୍ଟିକାରୀ ଟିପ୍ପଣୀ ଦେଇଥିବାରୁ ତାଙ୍କ ବିରୋଧରେ ଏତଲା ରୁଜୁ କରିବାକୁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିବାବେଳେ କୋର୍ଟ ଆଜି ଏହି ଆବେଦନ ଉପରେ ୧୪ ଜଣଙ୍କୁ ନୋଟିସ୍ କରିଛନ୍ତି। ତାମିଲନାଡ଼ୁ ସରକାରରେ ବିଭିନ୍ନ ବିଭାଗ, ଡିଜିପି, ପୁଲିସ କମିସନର , ସିବିଆଇ ଏବଂ ଅନ୍ୟମାନଙ୍କୁ ନୋଟିସ୍ ହୋଇଛି ଏବଂ ସେମାନଙ୍କ ଜବାବ ମଗାଯାଇଛି।
ତେବେ କୋର୍ଟ ଉକ୍ତ ପ୍ରସଙ୍ଗକୁ ଘୃଣା ଭାଷଣ ମାମଲା ସହ ଯୋଡ଼ିନାହାନ୍ତି। ଉଲ୍ଲେଖଯୋଗ୍ୟ, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ଡେଙ୍ଗୁ ଏବଂ ମ୍ୟାଲେରିଆ ସହ ତୁଳନା କରି ବଡ଼ ବିବାଦ ସୃଷ୍ଟି କରିଥିଲେ। ଉଦୟନିଧି କହିଥିଲେ ସନାତନ ଧର୍ମକୁ କେବଳ ବିରୋଧ କରିବା କଥା ନୁହେଁ ବରଂ ଏହାକୁ ଉଚ୍ଛେଦ କରିବା ଉଚିତ। ତାଙ୍କର ଏହି ଟିପ୍ପଣୀକୁ ନେଇ ଜୋରଦାର ବିବାଦ ହୋଇଥିଲା। କିନ୍ତୁ ଉଦୟନିଧି ଷ୍ଟାଲିନ ତାଙ୍କ ଟିପ୍ପଣୀ ପାଇଁ ଭୁଲ୍ ମାଗିନଥିଲେ ଏବଂ ବୟାନରେ କାଏମ ରହିଥିଲେ।