ଗୋରଖପୁର: ଡିଏମ୍‌କେ ନେତା ଉଦୟନିଧି ଷ୍ଟାଲିନଙ୍କ ସନାତନ ଧର୍ମ ଟିପ୍ପଣୀକୁ ନେଇ ନିକଟରେ ଜୋରଦାର ବିବାଦ ହୋଇଥିଲା। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଆଜି ସନାତନ ଧର୍ମକୁ ନେଇ ଏକ ଟିପ୍ପଣୀ ଦେଇଛନ୍ତି। ଯୋଗୀ କହିଛନ୍ତି, ସନାତନ ଧର୍ମ ହେଉଛି ଏକମାତ୍ର ଧର୍ମ ଏବଂ ବାକି ସବୁ ହେଉଛି ସମ୍ପ୍ରଦାୟ ଏବଂ ଉପାସନାର ମାଧ୍ୟମ। ‘ଶ୍ରୀମଦ ଭାଗବତ କଥା ଜ୍ଞାନ ଯଜ୍ଞ’ କାର୍ଯ୍ୟକ୍ରମରେ ଯୋଗ ଦେଇ ଯୋଗୀ ଆଜି ଏହି ଟିପ୍ପଣୀ ଦେଇଛନ୍ତି। ଯୋଗୀ କହିଛନ୍ତି,ସନାତନ ହେଉଛି ମାନବିକତାର ଧର୍ମ ଏବଂ ଯଦି ଏହା ଉପରେ ଆକ୍ରମଣ ହୁଏ ତେବେ ଏହା ସମଗ୍ର ବିଶ୍ବରେ ମାନବତା ପାଇଁ ସଙ୍କଟ ସୃଷ୍ଟି କରିବ। ଯୋଗୀ ଆଜି ଗୋରଖନାଥ ମନ୍ଦିରରେ ୭ ଦିନିଆ ‘ଶ୍ରୀମଦ ଭାଗବତ କଥା ଜ୍ଞାନ ଯଜ୍ଞ’ ର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଏହି ଟିପ୍ପଣୀ ଦେଇଛନ୍ତି। ଜାତୀୟ ସନ୍ଥ ମହନ୍ତ ଅବୈଦ୍ୟନାଥଙ୍କ ନବମ ଶ୍ରାଦ୍ଧ ବାର୍ଷିକୀ ଏବଂ ମହନ୍ତ ଦିଗ୍‌ବିଜୟ ନାଥଙ୍କ ୫୪ ତମ ଶ୍ରାଦ୍ଧ ବାର୍ଷିକୀ ପାଇଁ ଏହି କାର୍ଯ୍ୟକ୍ରମ କରାଯାଇଥିଲା।