ଆମେରିକାର ଧମକ ଭାରତ ସହ ଆମ ସାମରିକ ସମ୍ପର୍କକୁ ଭାଙ୍ଗିପାରିବ ନାହିଁ : ଋଷିଆ

ନୂଆଦିଲ୍ଲୀ : ଭାରତ ଋଷିଆଠାରୁ ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ଖରିଦ କରୁଥିବାବେଳେ ଆମେରିକା ଏହାକୁ ବିରୋଧ କରିଚାଲିଛି । ପୂର୍ବରୁ ଟ୍ରମ୍ପ ପ୍ରଶାସନ ଏହି ଡିଲକୁ ବିରୋଧ କରିଥିବାବେଳେ ଏବେ ନୂଆକରି କ୍ଷମତାକୁ ଆସିଥିବା ବାଇଡେନ ପ୍ରଶାସନ ମଧ୍ୟ ବିରୋଧ କରୁଛି । ଭାରତ ଋଷିଆଠାରୁ ଏସ-୪୦୦ କିଣିଲେ କଟକଣା ଲଗାଇବୁ । ଏଣୁ ଭାରତ ଋଷିଆଠାରୁ କୌଣସି ସାମରିକ ସରଞ୍ଜାମ କିଣିବାରୁ ବିରତ ରହୁ ବୋଲି ନିକଟରେ ବାଇଡେନ ପ୍ରଶାସନ ସତର୍କ କରାଇଦେଇଛି ।

ତେବେ  ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ଋଷିଆ କହିଛି ଯେ ଭାରତ ଓ ଋଷିଆର ସାମରିକ ସହଯୋଗିତା ସ୍ବତନ୍ତ୍ର ଓ ଏହାକୁ ଅନ୍ୟ କୌଣସି ଦେଶ ଭାଙ୍ଗିପାରିବ ନାହିଁ । ଭାରତରେ ଥିବା ଋଷିଆ ଦୂତାବାସର ଉପମୁଖ୍ୟ ରୋମାନ ବାବୁସ୍କିନ କହିଛନ୍ତି ଯେ, ସୁରକ୍ଷା ପାଇଁ ଭାରତ ଓ ଋଷିଆର ସହଯୋଗିତା ବେଶ ଗୁରୁତ୍ବପୂର୍ଣ୍ଣ । କୌଣସି କଟକଣା ଏହି ସ୍ବତନ୍ତ୍ର ସହଯୋଗିତାକୁ ଭାଙ୍ଗି ପାରିବ ନାହିଁ ।

ଋଷିଆରୁ ୫ଟି ରେଜିମେଣ୍ଟ ଏସ-୪୦୦ କିଣିବାକୁ ୨୦୧୮, ଅକ୍ଟୋବରରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତକାଳରେ ୫.୪୩ ବିଲିୟନ ଡଲାର ( ୪୦ ହଜାର କୋଟି ଟଙ୍କା) ର ଚୁକ୍ତି ହୋଇଥିଲା । ଏହି ଚୁକ୍ତି ଅନୁସାରେ ପ୍ରଥମ ଅଗ୍ରୀମ କିସ୍ତି (ମୋଟ ମୂଲ୍ୟର ୧୦%) ପ୍ରଦାନ କରିବାର ୨ ବର୍ଷ ମଧ୍ୟରେ ପ୍ରଥମ ଏସ-୪୦୦ ମିଳିବ । ଏହାର ଦୁଇ ବର୍ଷ ପରେ ଅନ୍ୟ ଏସ-୪୦୦ ଗୁଡିକ ଭାରତକୁ ମିଳିବ । କିନ୍ତୁ କରୋନା ମହାମାରୀ ଯୋଗୁଁ ଡେଲିଭରୀ ବିଳମ୍ବ ହେଉଥିବା ଜଣାଯାଇଛି । ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରଥମ ରେଜିମେଣ୍ଟ ଏସ-୪୦୦ ଭାରତକୁ ଆସିଯିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର