ଅଯୋଧ୍ୟା: ଆସନ୍ତା ଜାନୁଆରି ୨୨ ତାରିଖ ଭାରତ ପାଇଁ ଏକ ବଡ଼ ଦିନ। କାରଣ ଏହି ଦିନ ହେଉଛି ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ। ଏଥିପାଇଁ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦିଆଯାଉଛି । ମନ୍ଦିର ଉଦ୍‌ଘାଟନ ସମାରୋହ ପାଇଁ ଅଯୋଧ୍ୟା ସହରକୁ ନୂଆ ରୂପ ଦିଆଯାଉଛି । ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ଭକ୍ତଙ୍କ ମନରେ ଉତ୍କଣ୍ଠା ରହିଥିବା ବେଳେ ପ୍ରତିଦିନ ନୂଆ ନୂଆ ତଥ୍ୟ ସବୁ ହସ୍ତଗତ ହେଉଛି।

Advertisment

ସଦ୍ୟ ପ୍ରାପ୍ତ ତଥ୍ୟ ଅନୁଯାୟୀ, ଗର୍ଭଗୃହରେ ପ୍ରଭୁ ଶ୍ରୀରାମନ୍ଦ୍ରଙ୍କ ବିଗ୍ରହ ସ୍ଥ‌ାପନ କରାଯିବ ସତ, ହେଲେ ସେଠାରେ ସ୍ଥାନ ପାଇବେ ନାହିଁ ମାଆ ସୀତା। କାରଣ ରାମଚନ୍ଦ୍ରଙ୍କର ଯେଉଁ ମୂର୍ତ୍ତି ସ୍ଥାନ ପାଇବ, ତାହା ପ୍ରଭୁଙ୍କ ବିବାହ ପୂର୍ବର। ସେହି କାରଣରୁ ମୁଖ୍ୟ ମନ୍ଦିରରେ ସୀତାମାଆଙ୍କୁ ଦର୍ଶନ କରିପାରିବେ ନାହିଁ ଶ୍ରଦ୍ଧାଳୁ।

ଆପଣଙ୍କ ସୂଚନା ସକା‌ଶେ ଜଣାଇ ଦେଉଛୁ ଯେ ମୁଖ୍ୟ ମନ୍ଦିରର ଲମ୍ବ ୩୬୦ ଫୁଟ୍‌ ଏବଂ ଦୈର୍ଘ୍ୟ ୨୩୫ ଫୁଟ୍‌ । ମନ୍ଦିରର ଶିଖର ୧୬୧ ଫୁଟ୍‌ ଉଚ୍ଚ ହେବ। ପରିସରର ଯେଉଁ ଗର୍ଭଗୃହରେ ରାମଲଲା ବିରାଜିବେ ସେଠାରେ ପହଞ୍ଚିବା ପାଇଁ ୩୨ଟି ସିଡ଼ି ଚଢ଼ିବାକୁ ପଡ଼ିବ। ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ପ୍ରାଣ ପ୍ରତିଷ୍ଠା ପରଠାରୁ ୪୮ ଦିନ ପର୍ଯ୍ୟନ୍ତ ନିରନ୍ତର ପୂଜା କରାଯିବ।

ଜାନୁଆରି ୨୨ ତାରିଖ ମଧ୍ୟାହ୍ନ ୧୨ଟା ୨୮ ମିନିଟ୍‌ ୮ ସେକେଣ୍ଡ୍‌ରେ ଶୁଭ ମୁହୂର୍ତ୍ତ ରହିଛି, ଯାହାକି ୧୨ଟା ୩୦ ମିନିଟ୍‌ ୩୨ ସେକେଣ୍ଡ୍‌ ପର୍ଯ୍ୟନ୍ତ ଚାଲିବ। କାଶୀର ପଣ୍ଡିତମାନେ ମିଶି ଏହି ଶୁଭ ମୁହୂର୍ତ୍ତ ନିର୍ଣ୍ଣୟ କରିଛନ୍ତି।