ନିଜ ଘର ବନ୍ୟାରେ ବୁଡି ଯାଉଥିବା ସତ୍ତ୍ୱେ ଅନ୍ୟ ଲୋକଙ୍କୁ ଉଦ୍ଧାର କରିବାରେ ବ୍ୟସ୍ତ ଥିଲେ ପୁଲିସକର୍ମଚାରୀ

ସାଙ୍ଗଲି: ନିଜ ଘର ପାଣିରେ ବୁଡି ଯାଉଥିବା ସତ୍ତ୍ୱେ ସାଙ୍ଗଲିର ପୁଲିସକର୍ମଚାରୀ ନିଜ ଜୀବନକୁ ତିଳେ ମାତ୍ର ଖାତିର ନକରି ହଜାର ବନ୍ୟା ପୀଡିତଙ୍କ ଜୀବନ ବଞ୍ଚାଇଥିଲେ। ସାଙ୍ଗଲିରେ ୨୪୦ ପୁଲିସକର୍ମଚାରୀଙ୍କ ଘର କ୍ଷତିଗ୍ରସ୍ତ ହୋଇଛି। ଏହି ସମସ୍ତ ପୁଲିସକର୍ମୀଙ୍କ ଘର ଏବେ ବି ବନ୍ୟା ପାଣି ଘେରରେ ରହିଛି। କିନ୍ତୁ ଆଜି ବି ଏହି ପୁଲିସ କର୍ମଚାରୀ ନିଜର ପରିବାର ଅପେକ୍ଷା ବନ୍ୟା ପୀଡିତଙ୍କ ସେବାରେ ଲାଗି ପଡ଼ିଛନ୍ତି।

୨୪ଘଣ୍ଟା ଡିୟୁଟିରେ ଥିବା ପୁଲିସକର୍ମଚାରୀଙ୍କ ଘର ସାଙ୍ଗଲି ବନ୍ୟାରେ ପ୍ରଭାବିତ ହୋଇଛି। ବନ୍ୟାରେ ପୁଲିସକର୍ମଚାରୀଙ୍କ ଘର ପରିବାର ପାଣିରେ ଭାସୁଥିବା ବେଳେ ସେମାନେ ଅନ୍ୟ ବନ୍ୟା ପ୍ରପୀଡିତଙ୍କୁ ସୁରକ୍ଷିତ ସ୍ଥାନକୁ ନେବା କାମରେ ବ୍ୟସ୍ତ ଥିଲେ। ଥରଟିଏ ହେଲେ ଚିନ୍ତା କରି ନାହାନ୍ତି ତାଙ୍କ ପରିବାର ଅବସ୍ଥା କିପରି ଥିବ।

କେବଳ ଏତିକି ନୁହେଁ ସାଙ୍ଗଲି ଏସ୍‌ପି ସୁହେଲ ଶର୍ମା ନିଜେ ପହଁରିପହଁରି ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଇଥିଲେ। ସୁହେଲ ଶର୍ମାଙ୍କ କହିବାନୁସାରେ, ସାଙ୍ଗଲିରେ ବନ୍ୟା ପୀଡିତଙ୍କ ପାଇଁ କାମ କରୁଥିବା ସମୟରେ ସମସ୍ତ ପୁଲିସକର୍ମଚାରୀ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ। ସେତେବେଳକୁ ପୁଲିସ କଲୋନୀରେ ପାଣି ପସିବାକୁ ଲାଗିଥିଲା। ଘରଲୋକଙ୍କ ବାରମ୍ବାର ଫୋନ୍‌ ଆସିବାରେ ଲାଗିଥାଏ। କିନ୍ତୁ ଯେପର୍ଯ୍ୟନ୍ତ ଏସମସ୍ତ ଅଞ୍ଚଳରୁ ବନ୍ୟ ପ୍ରପୀଡିତଙ୍କୁ ଉଦ୍ଧାର କରାଯାଇ ନଥିଲା, ସେପର୍ଯ୍ୟନ୍ତ ଏଠାରୁ କେହି ବି ହଟି ନଥିଲେ।

ସମ୍ବନ୍ଧିତ ଖବର