ମୁସେୱାଲାଙ୍କ ମୃତ୍ୟୁ ପରେ ଆପ ହାତରୁ ଖସିଯିବନି ତ ସଙ୍ଗରୁର!

ଚଣ୍ଡୀଗଡ଼: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କର ଲୋକସଭା ଆସନ ସଙ୍ଗରୁର ଉପ-ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ପ୍ରସ୍ତୁତି ଚଳାଇଛି। ଏହି ନିର୍ବାଚନ ପାଇଁ ଆପ ମୋଟ 6 ଜଣ ମନ୍ତ୍ରୀଙ୍କୁ ନିୟୋଜିତ କରିଛନ୍ତି। ଗୋଟିଏ ପଟେ ବିଜେପି ପ୍ରାର୍ଥୀ କେୱାଲ ସିଂ ଧିଲନ୍ ଆକ୍ରମଣାତ୍ମକ ପ୍ରଚାର କରୁଥିବାବେଳେ ଅକାଳୀ ନେତା କମଲଦୀପ କୌର ମଧ୍ୟ ପ୍ରଚାର ଆରମ୍ଭ କରିଛନ୍ତି। ଏଭଳି ପରିସ୍ଥିତିରେ ଆମ୍ ଆଦମୀ ପାର୍ଟି ମଧ୍ୟ ସକ୍ରିୟ ହୋଇଯାଇଛି ।

କାରଣ ଏହି ଉପନିର୍ବାଚନରେ ନ ଜିତିଲେ ଆପକୁ ଏକ ବଡ ଝଟକା ଲାଗିବ | ଆପ ପକ୍ଷରୁ ମନ୍ତ୍ରୀ କୁଲଦୀପ ସିଂ, ବ୍ରାହ୍ମଶଙ୍କର ଜିମ୍ପା, ବଲଜିତ କୌର, ହରଭଜନ ସିଂ, ଗୁରୁମିତ ସିଂ ଏବଂ ଲଲଜିତ ସିଂଙ୍କୁ ଦାୟିତ୍ୱ ଦିଆଯାଇଛି | ଏହି ମନ୍ତ୍ରୀମାନଙ୍କୁ ସଙ୍ଗରୁର ଲୋକସଭା ଆସନ ଅଧୀନରେ ଥିବା ଛଅଟି ବିଧାନସଭା ନିର୍ବାଚନମଣ୍ଡଳୀ ଉପରେ ଧ୍ୟାନ ଦେବାକୁ କୁହାଯାଇଛି | ବର୍ତ୍ତମାନ ଏହି ମନ୍ତ୍ରୀମାନେ ସାଧାରଣ ସଭା କରୁଛନ୍ତି ଏବଂ ଆମ୍ ଆଦମୀ ପାର୍ଟିର ସଫଳତା ବାବଦରେ ଲୋକଙ୍କୁ କହୁଛନ୍ତି । କାରଣ କଂଗ୍ରେସ ନେତା ତଥା ପଞ୍ଜାବୀ ଗାୟକ ସିଦଧୁ ମୁସେୱାଲାଙ୍କ ସୁରକ୍ଷା ପ୍ରତ୍ୟାହାର କରାଯିବା ପରଦିନ ତାଙ୍କୁ ହତ୍ୟା କରାଯାଇଥିଲା |

ଆଉ ଏହି ଘଟଣାକୁ ନେଇ ମାନ ସରକାର ଉପରେ ପଞ୍ଜାଵବାସୀ ତଥା ମୁସେୱାଲାଙ୍କ ପ୍ରଶଂସକଙ୍କର ଆକ୍ରୋଶ ରହିଛି | ତେଣୁ ଲୋକସଭା ଉପନିର୍ବାଚନରେ ଯେଭଳି ଏହାର କୌଣସି ପ୍ରଭାବ ନ ପଡିବ ସେଥିପାଇଁ ଆପ ଚିନ୍ତିତ ରହିଛି |

ସୂଚନା ଥାଉ କି ଗତ ସାଧାରଣ ଲୋକସଭା ନିର୍ବାଚନରେ ଭଗବନ୍ତ ମାନ ଏକ ଲକ୍ଷ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ତେବେ ଚଳିତ ବର୍ଷ ମାର୍ଚ୍ଚରେ ଆମ୍ ଆଦମୀ ପାର୍ଟି ବିଧାନସଭା ନିର୍ବାଚନରେ ​​ଜିତିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା ଏବଂ ଏଥିପାଇଁ ସେ ଲୋକସଭା ସଦସ୍ୟତାରୁ ଇସ୍ତଫା ଦେଇଥିଲେ |

ସମ୍ବନ୍ଧିତ ଖବର