ମଣିପୁରରେ ସାନି ହିଂସା, ୩ ମୃତ

ଇମ୍ଫାଲ: ମଣିପୁରର ଇମ୍ଫାଲ ପଶ୍ଚିମ ଜିଲ୍ଲାରେ ସୋମବାର ସକାଳେ ୨ ଗୋଷ୍ଠୀ ମଧ୍ୟରେ ପ୍ରବଳ ସଂଘର୍ଷ ହୋଇଛି। ୨ ଗୋଷ୍ଠୀ ମଧ୍ୟରେ ଗୁଳିମାଡ଼ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪ ଜଣ ଆହତ ହୋଇଛନ୍ତି। ଇମ୍ଫାଲ ପଶ୍ଚିମ ଜିଲ୍ଲାର କାଙ୍ଗଚୁପ୍‌ ଅଞ୍ଚଳ‌ରେ ଏହି ଘଟଣା ଘଟିଛି। ଯେଉଁମାନେ ଆହତ ହୋଇଛନ୍ତି ସେମାନଙ୍କୁ ଇମ୍ଫାଲର ଏକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। କାକଚିଙ୍ଗ ଜିଲ୍ଲାର ସେରୋଉରେ ମଧ୍ୟ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁଁ ୪ ଜଣ ବ୍ୟକ୍ତି ଆହତ ହୋଇଛନ୍ତି।ଏଥିସହିତ ମଣିପୁରର ସୁଗନୁରେ ଏବେ ୨ ଗୋଷ୍ଠୀ ମଧ୍ୟରେ ଜୋରଦାର ସଂଘର୍ଷ ଲାଗି ରହିଛି।

ଗତ ଶୁକ୍ରବାର ରାତିରେ ସୁଗନୁର କଂଗ୍ରେସ ବିଧାୟକ କଙ୍ଗୁଜାମ ରଂଜିତଙ୍କ ବାସଭବନ ସମେତ ମୋଟ୍‌ ୨୦୦ରୁ ଅଧିକ ଘରେ ସନ୍ଦିଗ୍ଧ ଉଗ୍ରବାଦୀମାନେ ନିଆଁ ଲଗାଇ ଦେଇଥିଲେ। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଗତକାଲି ସମସ୍ତ ସମ୍ପ୍ରଦାୟଙ୍କୁ ଶାନ୍ତି ରକ୍ଷା ପାଇଁ ଅନୁରୋଧ କରିଥିଲେ। କିଛି ସ୍ଥାନରେ ରାସ୍ତା ରୋକ କରାଯାଇଛି। ଏଥିଯୋଗୁଁ ଯୋଗାଣରେ ବାଧା ଉପୁଜିଛି। ତେଣୁ ରାସ୍ତା ଫାଙ୍କା କରିବାସହ ଶାନ୍ତି ରକ୍ଷା କରିବାପାଇଁ ଶାହ ଅନୁରୋଧ କରିଛନ୍ତି। ଇତି ମଧ୍ୟରେ କେନ୍ଦ୍ର ସରକାର ମଣିପୁର ହିଂସା ଘଟଣାର ତଦନ୍ତ ପାଇଁ ୩ ଜଣିଆ ସଦସ୍ୟ ବିଶିଷ୍ଟ ଏକ କମିସନ୍‌ ଗଠନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ମେ’ ୩ ତାରିଖରେ ମଣିପୁରରେ ଆରମ୍ଭ ହୋଇଥିବା ହିଂସ‌ା ଘଟଣାରେ ୯୮ ଜଣଙ୍କ ମୃତ୍ୟୁ ହେଲାଣି ଏବଂ ୩୧୦ ଜଣ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର