ଦେଶ ପାଇଁ ଗୌରବ ଆଣିଲେ ଆଉ ଜଣେ ଭାରତୀୟ ମହିଳା, ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପାଇଁ ତିଆରି କରିଛନ୍ତି ରକେଟ

ନୂଆଦିଲ୍ଲୀ: ଚର୍ଚ୍ଚାରେ ଆଉ ଜଣେ ଭାରତୀୟ ମହିଳା | କିଛି ଦିନ ତଳେ ଭାରତ ଜନ୍ମିତ ସିରିଶା ବାନ୍ଦଲା ମହାକାଶକୁ ଯାତ୍ରା କରି ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ମହାରାଷ୍ଟ୍ରର ଏକ ଛୋଟ ସହର କଲ୍ୟାଣରେ ଜନ୍ମଗ୍ରହଣ କରିଥିବା ସଂଜଲ ଗାୱଡେ ଚର୍ଚ୍ଚାରେ |

ଆମାଜନ ପ୍ରତିଷ୍ଠାତା ତଥା ବିଲିୟନାୟାର ଜେଫ ବେଜୋସ ଜୁଲାଇ ୨୦ରେ ରକେଟ ନ୍ୟୁ ଶେଫାର୍ଡରେ ମହାକାଶକୁ ଯାତ୍ରା କରିବେ। ତେବେ ଜେଫ ବେଜୋସଙ୍କ ପାଇଁ ଏହି ରକେଟ ତିଆରି କରିଥିବା ଟିମରେ ଭାରତର ସଂଜଲ ଗାୱଡେ ଥିବା ଜଣାପଡିଛି | ରକେଟ୍ ନିର୍ମାଣ କରିଥିବା ଟିମରେ ସଞ୍ଜଲ ସିଷ୍ଟମ୍ ଇଞ୍ଜିନିୟର ଭାବେ କାମ କରିଛନ୍ତି |

Times Of India

ମହାକାଶ ଯାନ ନିର୍ମାଣରେ ସାହାଯ୍ୟ କରିବାର ସ୍ୱପ୍ନକୁ ସାକାର କରିବା ପୂର୍ବରୁ ସଞ୍ଜଲ ମେରାଇନ ଏବଂ ରେସିଂ କାର କମ୍ପାନିରେ କାର୍ଯ୍ୟ କରିଥିଲେ | ଏହାପରେ ଆମେରିକାରେ ଅନ୍ତରୀକ୍ଷ ଯିବାକୁ ଥିବା ରକେଟ ପ୍ରସ୍ତୁତ କରୁଥିବା ଟିମରେ ଭାଗ ନେଇ ଏବେ ତାଙ୍କ ସ୍ୱପ୍ନ ପୁରା କରିଛନ୍ତି ।

ସୂଚନା ମୁତାବକ, ସଂଜଲଙ୍କ ଜନ୍ମ ପୂର୍ବ କଲ୍ୟାଣର କୋଲସେବାଡୀ ହନୁମାନନଗରରେ ହୋଇଥିଲା । ସେ କୋଲସେବାଡୀ ମଣ୍ଡଳ ବିଦ୍ୟାଳୟରେ ତାଙ୍କର ସ୍କୁଲ ପାଠ ଶେଷ କରିଥିଲେ । ଏହାପରେ ହାଇସ୍କୁଲ ଓ ଯୁକ୍ତ ଦୁଇ ଶିକ୍ଷା ସେ ବିଡଲା କଲେଜରେ ଶେଷ କରିବା ପରେ ସେ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ମେକାନିକାଲ ଇଂଜିନିୟରିଂ ପାସ୍ କରିଥିଲେ । ପରେ ପରେ ଜିଆରଆଇ ଓ ଟୋଫେଲ ଭଳି କଠିନ ପରୀକ୍ଷା ଦେଇ ସେ ଉତ୍ତୀର୍ଣ୍ଣ ହେବା ପରେ ମିଚିଗାନର ଟେକ୍ ବିଶ୍ୱବିଦ୍ୟାଳୟ ଏମଏସ କରିବାକୁ ଆବେଦନ କରିଥିଲେ । ସେଠାରେ ବି ସେ ସଫଳତାର ସହ ପାସ୍ କରିଥିଲେ । ଏହାପରେ ତାଙ୍କୁ ସାମୁଦ୍ରିକ ଏବଂ ରେସିଂ କାର କମ୍ପାନିରେ ଚାକିରି ମିଳିଥିଲା । ହେଲେ ତାଙ୍କର ସ୍ୱପ୍ନ ଥିଲା ମହାକାଶରେ ଉଡିବା। ଏବେ ତାଙ୍କର ସ୍ୱପ୍ନ ପୂରଣ ହେବାକୁ ଯାଉଛି, ଯାହାକୁ ନେଇ ତାଙ୍କ ପିତାମାତା ବି ବେସ୍ ଖୁସି ଅଛନ୍ତି ।

ସମ୍ବନ୍ଧିତ ଖବର