ନୂଆଦିଲ୍ଳୀ: ଆପଣ ଜୀବନରେ ଅନେକ ବିବାହ ଦେଖିଥିବେ। ବହୁ ଧନୀ ପରିବାରର ବିବାହ ଉତ୍ସବକୁ ମଧ୍ୟ ଉପଭୋଗ କରିଥି‌ବେ। ଆମେ ଆଜି ଯେଉଁ ବିବାହ ବିଷୟରେ କହିବୁ, ସେଥିରେ ୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ତେବେ ଆପଣ ଭାବୁଥିବେ ନିଶ୍ଚୟ ଯେ ବିବାହରେ ଏପରି କ’ଣ ହେଲା ଯେ ୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଗଲା।

Advertisment

ଆମେ କହୁଛୁ ଆମେରିକାର ଧନୀ ପରିବାରର ପୁଅ ସଞ୍ଜୟ ବାଲଗୋବିନ୍‌ ଓ ତାଙ୍କ ଭାରତ-ଆମେରିକୀୟ ପତ୍ନୀ କର୍ଲିତା ନାୟରଙ୍କ ବିଷୟରେ। ସଞ୍ଜୟ ବୃତ୍ତିରେ ଜଣେ ବ୍ରୋକର୍‌ ହୋଇଥିବା ବେଳେ କର୍ଲିତା ‌ହେଉଛନ୍ତି ଏକ ସ୍କିନ୍‌କେୟାର୍‌ କମ୍ପାନିର ମାଲିକାଣୀ। ବିବାହ ପରେ ସଞ୍ଜୟ ଓ କର୍ଲିତା ନିଜ ପରିବାର ସହ ଫ୍ଲୋରିଡାରେ ରହୁଛନ୍ତି।

ସେମାନଙ୍କ ବିବାହ ୨୦୧୯ ମସିହା ଡିସେମ୍ବର ମାସରେ ହୋଇଥିଲା। ଏହି ବାହାଘରରେ ପ୍ରାୟ ୧.୯ ମିଲିୟନ୍‌ (ଭାରତୀୟ ମୁଦ୍ରାରେ ୧୫ କୋଟି ୮୧ ଲକ୍ଷ ଟଙ୍କା) ଖର୍ଚ୍ଚ ହୋଇଥିଲା। ସେମାନଙ୍କ ବାହାଘରରେ ୪୦୦  ଅତିଥି ଉପସ୍ଥିତ ରହିଥିଲେ।

ସଞ୍ଜୟ ଓ କର୍ଲିତାଙ୍କ ବିବାହ ଉତ୍ସବ ଫ୍ଲୋରିଡ଼ାରେ ହୋଇଥିବା ବେଳେ ବାହାଘରରେ କେଉଁଥିରେ କେତେ ଖର୍ଚ୍ଚ ହୋଇଛି ତାହାର ହିସାବ ଏକ ସାକ୍ଷାତ୍‌କାରରେ କର୍ଲିତା ଦେଇଛନ୍ତି। ବିବାହ ପୂର୍ବରୁ ସଂଗୀତ, ହଳଦୀ ଓ ମେହେନ୍ଦୀ ସବୁ କାର୍ଯ୍ୟକ୍ରମ ହୋଇଥିଲା। ଏଥିପାଇଁ ୧୨ ହଜାର ବର୍ଗଫୁଟ୍‌ର ଏକ ସ୍ଥାନ ବୁକ୍‌ କରିଥିବା ବେଳେ ହୋଟେଲ୍‌ ଏବଂ ଖାଦ୍ୟପେୟ ପାଇଁ ୧୦.୮୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା।

ବିବାହ ଓ ଭୋଜିର ସାଜସଜା ପାଇଁ ଖର୍ଚ୍ଚ ହୋଇଥିଲା ୫.୮୨ କୋଟି ଟଙ୍କା। ସେହିପରି ପ୍ରି-ୱେଡିଂ ଉତ୍ସବରେ ୮.୩୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ବିବାହର ସମସ୍ତ ଉତ୍ସବ ପାଇଁ ଭିନ୍ନ ଭିନ୍ନ ଲାଇଟ୍‌ ଲଗାଯାଇଥିଲା। କେବଳ ଲାଇଟ୍‌ରେ ‌ହିଁ ୨୦.୮୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା।

କନ୍ୟାର ପୋଷାକ ପାଇଁ ୩୧.୬୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ତାଙ୍କ ଲେହେଙ୍ଗା ତିଆରି କରିଥିଲେ ବଲିଉଡ୍‌ ଡିଜାଇନର୍‌ ରିମ୍ପଲ୍‌ ଓ ହରପ୍ରୀତି। ଜୋତା ଓ ଅଳଙ୍କାର ସହ କର୍ଲିତାଙ୍କ ରିସେପ୍‌ସନ୍‌ରେ ପିନ୍ଧିଥିବା ୨୭ କିଲୋର ଲେହେଙ୍ଗାର ଦାମ ଥିଲା ୧୦.୮୨ ଲକ୍ଷ ଟଙ୍କା।

କନ୍ୟାଙ୍କ ପ୍ରି-ୱେଡିଂ ପୋଷାକ ତିଆରି କରିଥିଲେ ମନୀଷ ମଲହୋତ୍ରା, ଯାହାର ଦାମ ୧୭.୪୭ ଲକ୍ଷ ଟଙ୍କା। ସଂଗୀତ ଉତ୍ସବରେ ସଞ୍ଜୟ ଓ କର୍ଲିତା ପିନ୍ଧିଥିବା ପୋଷାକର ଦାମ ୨.୯୧ ଲକ୍ଷ ଟଙ୍କା। ତାଙ୍କର କେଶସଜା, ମେକ୍‌-ଅପ୍‌ ଓ ଅଳଙ୍କାରର ଦାମ ପ୍ରାୟ ୨୦.୮୦ ଲକ୍ଷ ଟଙ୍କା। ତାଙ୍କର କେଶ ସଜା ଓ ମେକ୍‌-ଅପ୍‌ ପାଇଁ ଡକାଯାଇଥିବା ଆର୍ଟିଷ୍ଟ୍‌ଙ୍କୁ ଦିଅଯାଇଥିଲା ୪.୯୯ ଲକ୍ଷ ଟଙ୍କା।

ସଞ୍ଜୟ ବାହାଘରକୁ ଷ୍ଟାଇଲିଷ୍ଟ୍‌ ଅନ୍ଦାଜରେ ପହଞ୍ଚିବାକୁ ଚାହୁଁଥିଲେ। ସେଥିପାଇଁ ଫରାରୀ ଚଲାଇବା ପାଇଁ ରଖିଥିବା ଡ୍ରାଇଭର୍‌କୁ ଫିସ୍‌ ଆକାରରେ ଦେଇଥିଲେ ୧.୬୬ ଲକ୍ଷ ଟଙ୍କ‌ା। ପୂରା ୫ ଦିନର ଫ‌ଟୋ ଓ ଭିଡିଓ ସୁଟିଂ ପାଇଁ ୩୩.୨୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ରହିଛି। ସାଉଣ୍ଡ୍‌ ସିଷ୍ଟମ୍‌ରେ ପାଖାପାଖି ଖର୍ଚ୍ଚ ହୋଇଛି ୮.୩୩ ଲକ୍ଷ ଟଙ୍କା। ସେହିପରି ମନୋରଞ୍ଜନରେ ଖର୍ଚ୍ଚ ହୋଇଛି ୧୨.୪୮ ଲକ୍ଷ ଟଙ୍କା। ସବୁକୁ ମିଶାଇଲେ ବିବାହରେ ପ୍ରାୟ ୧୫.୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି।